ତାବତ ନାନାବିଧ ରୂପେ । ଜୀବ ଭ୍ରମଇ ମୋହକଳ୍ପେ ।
ଯାବତ ନାନାଭାବେ ଛନ୍ନ । ତାବତ ଜୀବ ପରାଧୀନ ।
ଈଶ୍ୱର ତହୁଁ ଭୟ ପାଇ । ଭ୍ରମଇ ମାୟାମୟ ହୋଇ ।
ଅନେକ ଭ୍ରମି ଶ୍ରମେ ଫୁଟେ । କେବେହେଁ ମାୟା ତା ନ ତୁଟେ ।
ଏମନ୍ତେ ଗୋବିନ୍ଦର ବାଣୀ । ଉଦ୍ଧବ ବୋଲେ ତାହା ଶୁଣି ।
ପ୍ରଣାମ କରି କୃଷ୍ଣପାଦେ । ବୋଲେ ଆନନ୍ଦ ଗଦଗଦେ ।
ଶୁଣ ହେ ପ୍ରଭୁ ଦାମୋଦର । ତ୍ରିଗୁଣେ ଜାତ ଏ ଶରୀର ।
ଜୀବନ ଅଛି ଦେହମଧ୍ୟେ । ନିର୍ଲ୍ଲେପ ପରମ ଆନନ୍ଦେ ।
ଗୁଣେ ବନ୍ଧନ ନାହିଁ ତାର । ସ୍ୱଭାବେ ନିତ୍ୟ ନିର୍ବିକାର ।
ତାର ବନ୍ଧନେ ତିନି ଗୁଣେ । ତୁ ନାଥ ବୋଲୁ କି କାରଣେ ।
କେମନ୍ତେ ନୋହେତ ବନ୍ଧନ । କହ ହେ ଦେବକୀନନ୍ଦନ ।
କିରୂପେ ଥାଇ ଅନ୍ତର୍ଗତେ । ସଂସାରେ ବିହରେ କେମନ୍ତେ ।
କେତେ ଲକ୍ଷଣେ ତାକୁ ଜାଣି । କେମନ୍ତେ ଭକ୍ଷେ ଅନ୍ନ-ପାଣି ।
କିରୂପେ ପ୍ରଚରଇ ଜନେ । ଆସନ-ଭୋଜନ-ଶୟନେ ।
ନିଶ୍ଚଳେ ରହେ କେଉଁସ୍ଥାନେ । କହ କେଶବ ତୋଷମନେ ।
ତୁ ନାଥ ମୋର ପ୍ରାଣପତି । ଭକ୍ତବତ୍ସଳ ଦାଶରଥି ।
ଅଚ୍ୟୁତ ଅନନ୍ତ ମୁରାରି । ବଳେ କେ ପାରେ ଜୀବ ଧରି ।
ସଂସାରେ ବଦ୍ଧ ମୋହ ଦୁଇ । କେମନ୍ତେ କଳ୍ପି ତାର ଦେହୀ ।
ଏକ ଅନେକ ଅବା କେତେ । କହ ଗୋବିନ୍ଦ ଶୁଦ୍ଧଚିତ୍ତେ ।
ମୋହର ଚିତ୍ତେ ଭ୍ରମ ଯେତେ । କହିଲି ତୋହର ଅଗ୍ରତେ ।
ମୋ ଘରେ ଜ୍ଞାନଦୀପ ଜାଳି । ଅଜ୍ଞାନ ଖଣ୍ତ ବନମାଳୀ ।
ବୋଲଇ ବିପ୍ର ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ।
ଉଦ୍ଧବ ପଚାରିଲେ ମୋତେ । ଶ୍ରୀ ଏକାଦଶେ ଭାଗବତେ ।
ସୁଜନେ ଦିଅ ଏଥେ ଚିତ୍ତ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ।
ପ୍ରତିଜନ୍ମରେ ମୋର ମତି । ଦଣ୍ତେ ନ ଛାଡ଼ୁ ତୁମ୍ଭ ଭକ୍ତି ।
ଉଦ୍ଧବ ସଂବାଦେ ନାମ ଏକଦଶୋଧ୍ୟାୟଃ ।
(16)
ଜୀବାତ୍ମାର ତତ୍ତ୍ୱଜ୍ଞାନ (Sk. XI, Ch. XII).
ଶ୍ରୀ ଭଗବାନୁବାଚ
ଶୁଣି ଉଦ୍ଧବର ବଚନ । କହନ୍ତି ଶ୍ରୀ ମଧୁସୂଦନ ।
ତୁ ଯାହା କରୁ ହୋ ପ୍ରଶନ । ଜୀବ-ଆତ୍ମାର ତତ୍ତ୍ୱଜ୍ଞାନ ।