ପୃଷ୍ଠା:Typical selections from Oriya literature.pdf/୨୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୩୨
ଓଡ଼ିଆ ସାହିତ୍ୟ-ପରିଚୟ

କ‌ହିଲି ସର୍ବ ବେଦ-ବାଣୀ । ଯେ ବ୍ରହ୍ମା ନିଜ ପୁତ୍ରେ ଆଣି ।
ନାମ ତା ସ୍ୱାୟମ୍ଭୁବ ମନୁ । ଦ୍ୱିତୀୟ ପଦ୍ମ‌ଯୋନି ତନୁ ।
ତାହାକୁ ସର୍ବ ବେଦ ଦେଲା । ସେ ପୁଣି ଧରି ନ ପାରିଲା ।
ଥିଲେ ଯେ ସ‌ପ୍ତ‌ଋଷିଗଣେ । ତାହାକୁ ଦେଲେ ଜଣେ ଜଣେ ।
ଭୃଗୁ ଅଙ୍ଗିରା ଆଦିକରି । ଅଭ୍ୟାସେ ବେଦ ସେ ବିସ୍ତାରି ।
ସେ ପୁଣି ଗୁହ୍ୟକ ଚାରଣେ । ଆନନ୍ଦେ ଦେଲେ ସାଧୁପଣେ ।
ଏମନ୍ତେ ସିଦ୍ଧ ବିଦ୍ୟାଧରେ । ରାକ୍ଷସ ଗନ୍ଧର୍ବ କିନ୍ନରେ ।
କି ଦେବ ଯକ୍ଷ ନାଗ କପି । କ୍ରମେ ଏହାଙ୍କ ମଧ୍ୟେ ବ୍ୟାପି ।
ଏରୂପେ ସର୍ବ ମୁଖେ ଭଣି । ମୁଁ ତାହା ଦୂରେ ଥାଇ ଶୁଣି ।
ବେଦୁଁ ହୋଇଲା ନାନାଗତି । ତା ତ‌ତ୍ତ୍ୱ କେହି ନ ଜାଣନ୍ତି ।
ସ୍ୱଭାଗେ ତ୍ରିଗୁଣେ ସଂଯୁତ । ଏଣୁ ପ୍ରକୃତି ଭିନ୍ନମତ ।
ଯାହାକୁ ଯେମନ୍ତ ଦିଶଇ । ସେ ଭାବେ ବେଦ ଅଭ୍ୟାସଇ ।
ଏଣୁ ପ୍ରକୃତି ଭିନ୍ନମତେ । ଅର୍ଥ ନ ଜାଣ‌ନ୍ତି ସମସ୍ତେ ।
କେହୁ ପାଷଣ୍ତ ମତେ ଜାଣି । କୁତର୍କ ଖଣ୍ତେ କେ ବଖାଣି ।
ଏମନ୍ତେ କରି ନାନାମତେ । ବେଦ ବିଚାରନ୍ତି ଜଗତେ ।
ଏରୂପେ ଶ୍ରଦ୍ଧା ଅନୁମତେ । କର୍ମ କରନ୍ତି ନାନାମତେ ।
ଫଳଇ କର୍ମ-ଅନୁସାରେ । ବିପାକ ଲଭନ୍ତି ସଂସାରେ ।
ଯେ ଧର୍ମ ମାର୍ଗ ଆଚରନ୍ତି । କେ ଅବା କାମ୍ୟ କର୍ମ ଚିନ୍ତି ।
କେ ସ‌ତ୍ୟ ଶମ ଦମ ଦାନେ । କେ ଯଜ୍ଞ ତୀର୍ଥ ଅନୁମାନେ ।
କାହାର ଚିତ୍ତେ ତ୍ୟାଗ-ଯୋଗ । କେ ଅଷ୍ଟ ଅଇଶ୍ୱର୍ଯ୍ୟ-ଭୋଗ ।
କେ ବ୍ରତ ନିୟମ ଆଚରେ । ଏମନ୍ତେ ଅନେକ ପ୍ରକାରେ ।
କର୍ମ ସାଧନ୍ତି ଫଳ ଲୋଭେ । ଗୁଣ-ବୈରାଗ୍ୟ-କ୍ରିୟା-ଦମ୍ଭେ ।
କର୍ମ ସରିଲେ ଫଳ କ୍ଷୟେ । ଲବଧ କ୍ଳେଶମାତ୍ର ରହେ ।
ଏଣୁ ସଂସାର ଘୋର ବନେ । ବୃଜିନ-ଅନଳ-ଦ‌ହ‌ନେ ।
ପ୍ରାଣୀ ହୁଅନ୍ତି ଆତ ଯାତ । ନ ଜାଣି ବେଦର ବୃତ୍ତାନ୍ତ ।
ଏ ବୋଲ ବୁଝ ତୁ ନିରତେ । କେବଳ ଆଶ୍ରେ କର ମୋତେ ।
ମୁଁ ଆତ୍ମା-ପ୍ରିୟସଖା ହୋଇ । ସକଳ-କର୍ମ-ଫଳ ଦେଇ ।
ମୁଁ ଗତି ପ‌ତି ହର୍ତ୍ତା କର୍ତ୍ତା । ମୁହିଁ ସେ ସର୍ବଲୋକ-ପିତା ।
ମୋତେ ଭଜନ୍ତି ପ୍ରାଣୀ ଯେତେ । ସୁଖେ ତରନ୍ତି ସେ ନିଶ୍ଚିନ୍ତେ ।
ଜନ୍ମ-ମରଣେ ନାହିଁ ଭାନ୍ତି । ହେଳେ ସଂସାରୁ ତରିଯାନ୍ତି ।
ବିଷୟ-ସୁଖେ ଯାର ଚିତ୍ତ । କର୍ମ ଭୁଞ୍ଜନ୍ତେ ସେ ବଞ୍ଚିତ ।
ଯେ ପ୍ରାଣୀ ଅକିଞ୍ଚନ ମତ । ଶମ ସୁଶାନ୍ତ ଶାନ୍ତ ଦାନ୍ତ ।
ମୋର ଆନନ୍ଦରସେ ରସେ । ସୁଖସମୁଦ୍ରେ ନିତ୍ୟେ ଭାଷେ ।
ମୁଁ ଯାକୁ ହୁଅଇ ସଦୟ । ତାହାର କାହିଁ ଦୁଃଖ ଭୟ ।