ପୃଷ୍ଠା:Typical selections from Oriya literature.pdf/୨୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୩୪
ଓଡ଼ିଆ ସାହିତ୍ୟ-ପରିଚୟ

ଦଇବ-ଯୋଗେ ସଙ୍ଗ-ମେଳେ । ମିଳନ୍ତି ପୂର୍ବ ପୁଣ୍ୟବଳେ ।
ଦର୍ଶନ ସ୍ପର୍ଶନ ଶ୍ରବଣେ । ନିର୍ମଳ ହୁଅନ୍ତି ତ‌ତ୍‌କ୍ଷଣେ ।
ପାପ ନ ରହେ ତାଙ୍କ ମନେ । ରବି ସମୀପେ ତମ ଯେହ୍ନେ ।
ଯେ ପ୍ରାଣୀ ଦୟା ସତ୍ୟ‌ଯୁତ । ତପୀ ଧାର୍ମିକ ବିଦ୍ୟାବନ୍ତ ।
ମୋର ଭକତି ଯେବେ ନାହିଁ । ପବିତ୍ର ନୋହେ ତାର ଦେହୀ ।
ସେ କାହିଁ ସଂସାରୁ ତରିବ । ଯେବେ ନ ପାଏ ମୋର ଭାବ ।
ନିରତେ ଅଙ୍ଗ ପୁଲକିତ । ନୟନୁ ଅଶ୍ରୁଜ‌ଳ ପାତ ।
ଅନ୍ତ ଦ୍ର‌ବଇ ତା ନିରତେ । ମତି ଚଞ୍ଚଳ ବିପରୀତେ ।
ଜଗତ ମୋର ରୂପ ଜାଣେ । ନିଜ ଶରୀର ନ ପ୍ରମାଣେ ।
ବୋଲନ୍ତି ପ୍ରଭୁ ଚକ୍ରପାଣୀ । ଏତେ ଲକ୍ଷଣେ ଭକ୍ତ ଜାଣି ।
ଭକତି ବିନୁ ଅନ୍ତର୍ଗତ । କେବେହେଁ ନୁହଇ ପ୍ରଶସ୍ତ ।
ବୋଲଇ ଗଦ ଗଦ ବାଣୀ । କ୍ଷଣକ୍ଷଣକେ ହସେ ପୁଣି ।
କ୍ଷଣକେ କରଇ ରୋଦନ । ଉଚ୍ଚେ ଡାକଇ ମୋର ନାମ ।
ନାଚଇ ଉନ୍ମତ୍ତ ଆଚରି । ଲଜ୍ଜା ସଙ୍କୋଚ ଦୂର କରି ।
ମୋର ଭକତ ମୋର ମିତ । ସେ କରେ ଜଗତ ପବିତ୍ର ।
ମୋର ସେବକ ଏ ଲକ୍ଷଣ । ଉଦ୍ଧବ ଭଲେ ଏହା ଜାଣ ।
ନିର୍ମଳମତି ତାର ନିତ୍ୟେ । ଭ୍ରମଇ ଉଦାର ଚରିତେ ।
ଅନଳେ ଦ‌ହ‌ନ୍ତେ ସୁବର୍ଣ୍ଣ । ନିର୍ମଳ ହୁଏ ଦିନୁ ଦିନ ।
ଭକତଜନ ସେହିମତେ । ନିର୍ମଳ ହୋନ୍ତି ଏ ଜଗତେ ।
ଏରୂପେ ଭକ୍ତି ଯୋଗବଳେ । ଯେ ପ୍ରାଣୀ ଛନ୍ତି ଜନମେଳେ ।
ଅଶେଷ ବାସନା ତାଙ୍କର । ମନରୁ ଛାଡ଼ି ହୋନ୍ତି ଦୂଋ ।
ଅଞ୍ଜନ ରଞ୍ଜୁଥିଲେ ନିତ୍ୟେ । ମଳି ନ ରହେ ଯେହ୍ନେ ନେତ୍ରେ ।
ବିସ୍ମୟ ସ୍ମରଣ ନିରତେ । ଯେହ୍ନେ ବିଷୟ ଜଡ଼େ ଚିତ୍ତେ।
ମୋର ସ୍ମରଣ ଯାର ଚିତ୍ତେ । ତା ଦେହେଁ ଥାଇ ମୁଁ ନିରତେ ।
ଏ ବୋଲ ବୁଝି ମୋତେ ଭଜ । ଅଶାନ୍ତି ଧ୍ୟାନ ବେଗେ ତେଜ ।
ମୋ ରୂପ ଦେଖେ ସର୍ବଠାବେ । ମୋର ଚରଣ ଭଜେ ଭାବେ ।
ସ୍ତ୍ରୀସଙ୍ଗ ସ୍ତ୍ରୀସଙ୍ଗଙ୍କ ସଙ୍ଗ । ଦୂରେ କରିବ ପରିତ୍ୟାଗ ।
ସକଳ ଚିନ୍ତା ଦୂର କରି । ମୋତେ ଚିନ୍ତିବ ଚିତ୍ତେ ଭରି ।
ନିରୋଳେ ବସି ଏକସ୍ଥାନେ । ନିଶ୍ଚିନ୍ତ କଳ୍ପିତ ଆସନେ ।
ମୋର ମଧୁର ରୂପ-ଧ୍ୟାନେ । ବସି ଚିନ୍ତିବ ସ୍ଥିରମନେ ।
ସ୍ତ୍ରୀସଙ୍ଗ ସ୍ତ୍ରୀସଙ୍ଗିଙ୍କ ସଙ୍ଗେ । କାମ ବଢ଼ଇ ନାନାରଙ୍ଗେ ।
ଏଣୁ କୁସଙ୍ଗ ଦୂର କରି । ହୃଦେ ମୋ ଭାବ ଅନୁସରି ।
ଆତ୍ମାର ହିତ ନିତ୍ୟେ କର । ହସି ବୋଲନ୍ତି ଦାମୋଦର ।