ଉଦ୍ଧବ ଦେଖ ଏ ସଂସାର । ସ୍ୱଭାବେ ତ୍ରିବିଧ ପ୍ରକାର ।
ଏ ସର୍ବ ମାୟା ନାନାମତେ । ଆଶ୍ରେ ଯେ କରେ ତୋଷଚିତ୍ତେ ।
ଏ ମାୟା ପ୍ରଳୟେ ନ ଥାଇ । ପୂର୍ବେ ତା କେହି ନ ଜାଣଇ ।
ମଧ୍ୟେ ବିଳସେ ନାନାରୂପେ । ଯୋଗେ ମୋହିନୀ ମାୟାକଳ୍ପେ ।
ଏଣୁ ଏ ଆଦି ମଧ୍ୟ ଅନ୍ତ । କେବଳ ମାୟାମାତ୍ର ସତ୍ୟ ।
ଉଦ୍ଧବ କୃଷ୍ଣମୁଖୁଁ ଶୁଣି । ଜ୍ଞାନ-ମହିମା ପରିମାଣି ।
ଜ୍ଞାନ-ବୈରାଗ୍ୟ-କର୍ମ ଯେତେ । ପୁଚ୍ଛିଲା କୃଷ୍ଣପାଦଗତେ ।
ହେ ବିଶ୍ୱେଶ୍ୱର ନାରାୟଣ । ଅନାଦି ପୁରୁଷ ପୁରାଣ ।
ତୁ ବିଶ୍ୱରୂପୀ ବିଶ୍ୱଦେହ । ଭକ୍ତ-ଲକ୍ଷଣ ମୋତେ କହ ।
ବିଶୁଦ୍ଧ ବିଜ୍ଞାନ-କାରଣ । ଯାହା ବାଞ୍ଛନ୍ତି ମୁନିଗଣ ।
ଘୋର ସଂସାରେ ମାୟାଭ୍ରମେ । ମୁଁ ଯେ ତୃଷିତ ପଥଶ୍ରମେ ।
ତୋହର କଥାମୃତ ମୋତେ । ପାନ କରାଅ ଶ୍ରୁତିପଥେ ।
ତୋ ପାଦପଦ୍ମ ଛତ୍ରପ୍ରାୟେ । ଶୀତଳ ମଧୁଧାରା ବହେ ।
ସେ ପାଦପଦ୍ମେ ମୋର ଆଶା । ଭବାବ୍ଧି-ତରଣେ ଭରସା ।
ଏ କାଳସର୍ପ ମୋ ଶରୀରେ । କୋପେ ଦଂଶଇ ନିରନ୍ତରେ ।
ମୁଁ ମୂଢ଼ ନିଜପଥ ହୁଡ଼ି । ଭ୍ରମଇ ଅନ୍ଧକୂପେ ପଡ଼ି ।
ତୁ ନାଥ ଶରଣସୋଦର । ଏ କୂପୁଁ କୃପାରେ ଉଦ୍ଧର ।
ତୋର ବଚନ ସୁଧାଧରେ । ବରଷା କର ମୋଶରୀରେ ।
ଏମନ୍ତ ଭକ୍ତବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି ।
ଶୁଣ ଭକତ ସାମରଥା । ଯେ ପୂର୍ବେ ଇତିହାସ-କଥା ।
କୁରୁ-ପାଣ୍ତବ ଯୁଦ୍ଧ ଅନ୍ତେ । ଏ କଥା ଭୀଷ୍ମଙ୍କ ଅଗ୍ରତେ ।
ପାଣ୍ତୁ-କୁମର ଯୁଧିଷ୍ଠିର । ଧର୍ମେ ସେ ଜିଣିଲା ସମର ।
ଜ୍ଞାତି-ବାନ୍ଧବ-କୁଳକ୍ଷୟେ । ବ୍ୟାକୁଳ-ସଂଶୟ ହୃଦୟେ ।
ପୁଚ୍ଛିଲେ ମୋର ବିଦ୍ୟମାନେ । ଯେ ପ୍ରଶ୍ନ ଭୀଷ୍ମ-ସନ୍ନିଧାନେ ।
ସେ ମୋକ୍ଷଧର୍ମେ ଯାହା କହି । ଶ୍ରବଣେ ଶୁଣିଅଛି ମୁହିଁ ।
ଏବେ ତୁ ସାବଧାନେ ଶୁଣ । ବୈରାଗ୍ୟ-ମୁକତି-ଲକ୍ଷଣ ।
ଭୀଷ୍ମ-ବଦନୁ ଅଛି ଶୁଣି । ଶୁଣ କହିବା ପରମାଣି ।
ଜଗତ-କାରଣ ପ୍ରଶସ୍ତେ । ଶାସ୍ତ୍ର କହନ୍ତି ନାନାମତେ ।
ଯେ ତତ୍ତ୍ୱ ସର୍ବ ଏକମତେ । ବିଚାରି ଜାଣିବା ସାକ୍ଷାତେ ।
ଯେ ତତ୍ତ୍ୱଜ୍ଞାନ ମୋର ମତ । ତା ବିନୁ କିଛି ନୋହେ ସତ୍ୟ ।