ପୃଷ୍ଠା:Typical selections from Oriya literature.pdf/୨୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୩
ଓଡ଼ିଆ ସାହିତ୍ୟ-ପରିଚୟ

ଅଭ୍ୟାସ-ବଳେ ଅନ୍ତର୍ଗତେ । ମନ ରୁନ୍ଧିବ ଦୃଢ଼ଚିତ୍ତେ ।
ଏ ମନ ସ୍ୱଭାବେ ଚଞ୍ଚଳ । କେବେହେଁ ନ ରହେ ନିଶ୍ଚଳ ।
ପବନ‌ଗତି-ଅନୁରୁଦ୍ଧେ । ଶମ-ସାଧନ ଦୃଢ଼ବନ୍ଧେ ।
ପବନ‌ଦ୍ୱାରେ ମନ ଥୋଇ । ଆସନ ଦୃଢ଼ବନ୍ଧେ ଦେଇ ।
ଅଭ୍ୟାସେ ବଶ ହୋନ୍ତି ତାର । ପ୍ରାଣ ଇନ୍ଦିୟ ଅହ‌ଙ୍କାର ।
ଚଞ୍ଚଳମନ ଏକ କରି । ସାଧିବ ସତ୍ତ୍ୱଗୁଣ ଧରି ।
ପରମ ଯୋଗ ଏ ସାଧନ । ଅଭ୍ୟାସେ ମନ ନିରୋପଣ ।
ଚଞ୍ଚଳ ତୁରଙ୍ଗ ଯେସନେ । କ୍ରମେ ସୁସାଧ୍ୟ ଦିନେ ଦିନେ ।
ଅଳପ ଅଳପ ଅଭ୍ୟାସେ । ମନ ପବନ ସ୍ଥାପି ବସେ ।
ନିଶ୍ଚିନ୍ତେ ରହେ ଦେହ ବ‌ହି । ସଂସାରେ ସାକ୍ଷୀ ପ୍ରାୟ ହୋଇ ।
ଦେଖଇ ଜନ୍ତୁଙ୍କ ମରଣ । ଏ ଭବସାଗର-ତରଣ ।
ପ୍ରସନ୍ନ ହୁଏ ଯେବେ ମନ । ଅସତ୍ୟ ଦେଖେ ତ୍ରିଭୁବନ ।
ଗୁରୁ-ବଚନେ ମନ ସ୍ଥିର । ବିଷୟେ ବୈରାଗ୍ୟ ଯାହାର ।
ନିରତେ ନିଷ୍ଠେ ସ୍ଥିରମନା । କର୍ମେ ଖଣ୍ତଇ ଦୁର୍ବାସନା ।
ସଙ୍କଳ୍ପେ ତୁଟେ ନିରବଧି । ଶମାଦି ଯୋଗପଥ-ସିଦ୍ଧି ।
ମନ‌କୁ ତ‌ତ୍ତ୍ୱଜ୍ଞାନେ ଆଣି । ଭକ‌ତିଯୋଗ ପରମାଣି ।
ମୋ ରୂପ କରି ଉପାସନା । କୀର୍ତ୍ତନ ଅର୍ଚ୍ଚନ ବନ୍ଦନା ।
ମନ ସଂଯମ କରି ହୃଦେ । ଆନନ୍ଦେ ଦିଏ ମୋର ପାଦେ ।
ଆନନ୍ଦେ ଭ୍ରମଇ ଶୟଳେ । ଯେସନେ ଦୁଷ୍ଟସଙ୍ଗ ମେଳେ ।
ଯେବେ ନିନ୍ଦିତ କର୍ମ କରେ । ସେ ପାପ ମୋର ଧ୍ୟାନେ ହରେ ।
ମୋ ନାମ ଶ୍ରବଣ-କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯାର ମନେ ।
ନିର୍ଦ୍ୱନ୍ଦେ ସର୍ବକର୍ମ୍ମ ତେଜେ । କେବଳ ଦୃଢ଼େ ମୋତେ ଭଜେ ।
ସଂକଳ୍ପ ଭୋଗ ଦୁଃଖମୟେ । ଯାହା ଛାଡ଼ନ୍ତେ ସୁଖ ହୋଏ ।
ଯେବା ମିଳିବ ଅକସ୍ମାତେ । ଆନନ୍ଦେ ସମର୍ପିବ ମୋତେ ।
ପୀରତି କରି ମୋ ଚରଣେ । ଭାବେ ଭଜିବ ଅନୁକ୍ଷଣେ ।
ମୋ ଦୃଢ଼ଭକତି ସମାଜେ । ମୁଁ ତାଙ୍କ ହୃଦୟପଙ୍କଜେ ।
ବସଇ କାମ ଦୁଇ କରି । ନିର୍ମଳ ଜ୍ୟୋତିରୂପ ଧରି ।
କାମ ନ ରହେ ତାଙ୍କ ଦେହେ । ସଂସାରୁ ତରେ ସେ ଉପାୟେ ।
ଯେବେ ସକଳଭୂତେ ଏକେ । ମୁଁ ବସିଥିଲା ପ୍ରାୟ ଦେଖେ ।
ସଂଶୟଗ୍ରନ୍ଥି ତାର ହୃଦେ । ମୁହିଁ ଖଣ୍ତଇ ଅପ୍ରମାଦେ ।
ସକଳ କର୍ମ୍ମ ତ‌ତ‌କ୍ଷଣେ । ଦ‌ହଇ ମୋହର ସ୍ମରଣେ ।
ଏ ଭାବେ ବୁଝି ନିରବଧି । ଯତ୍ନେ ଭକତିଯୋଗ ସାଧି ।
ଏଣୁ ଭକତିଯୋଗ ଯେତେ । ଯେ ଯୋଗୀ ଭଜେ ହୃଦଚିତ୍ତେ ।
ସେ ମହାଶୟ ଏ ଜଗତେ । ଜ୍ଞାନେ ବୈରାଗ୍ୟ ଅନୁମତେ ।