ଚିତ୍ତେ ଏ ସଂଶୟ ମୋହର । ଛେଦ ହେ କମଳାରବର । ଗୋବିନ୍ଦ କମଳଲୋଚନ । ପରମ ପୁରୁଷ-ଉତ୍ତମ । ତୋର ମାୟାରେ ଜୀବ ଯେତେ । ବିମୋହେ ଯନ୍ତ୍ରିତ ଜଗତେ । ଯାହାକୁ ହେଉ ତୁ ସଦୟ । ଜ୍ଞାନ ତା ହୃଦରେ ଉଦୟ । ତୁ ଆତ୍ମା ସର୍ବ ଜୀବପତି । ସୁଗୁରୁ ଜ୍ଞାନଗମ୍ୟ ଗତି । ଏମନ୍ତ ଶୁଣି ତା ବଚନ । କହନ୍ତି ଦେବକୀ-ନନ୍ଦନ । ପ୍ରକୃତି ପୁରୁଷଙ୍କ ଗୁଣ । ସଂଯୋଗ-ବିଯୋଗ-କାରଣ । ସକଳ ଗୁଣ ଭେଦ ଯେତେ । ବିସ୍ତାରି କହୁଅଛି ତୋତେ । ତୁ ତାହା ଚିତ୍ତେ ଭଲେ ସ୍ମର । ଶୁଣି ଉଦ୍ଧବ ଯୋଡ଼େ କର । ବୋଲଇ ବିନୟ-ବଚନ । ଭୋ ନାଥ କର ଅବଧାନ । ତୋର ବିମୁଖ ଯେତେ ପ୍ରାଣୀ । ତାହାଙ୍କୁ ନିଜକର୍ମ୍ମେ ଆଣି । ନାନା ଯୋନିରେ ଜାତ କରେ । ତେଣୁ ଶରୀର ପ୍ରାଣୀ ଧରେ । ଭ୍ରମନ୍ତି ନିଜକର୍ମ୍ମ ପଥେ । ଦୁଃଖ ଦୁରିତ ଭୋଗଅର୍ଥେ । ଶରୀର ଧରନ୍ତି କେମନ୍ତେ । ଛାଡ଼ନ୍ତି ନିଜକର୍ମ ଅନ୍ତେ । ନାନା ବିପାକେ ଭୁଞ୍ଜେ କର୍ମ । ଗତ ଆଗତ ପଥଶ୍ରମ । ଭୋ ନାଥ ଭକତବତ୍ସଳ । କରୁଣାସିନ୍ଧୁ ଆଦିମୂଳ । ନମୋ ଗୋବିନ୍ଦ ଦାମୋଦର । କହ ସଂଶୟ ଯାଉ ମୋର । ଉଦ୍ଧବ-ବାକ୍ୟେ ଯଦୁନାଥ । ଜୀବର ଗତି ପରମାର୍ଥ । କହନ୍ତି ଉଦ୍ଧବଙ୍କୁ ଚାହିଁ । ଶୁଣ ହେ ଏକଚିତ୍ତ ହୋଇ । ମନଟି ହୁଏ କର୍ମମୟ । ନାନାପ୍ରକାରେ ସୃଜେ ଦେହ । ପ୍ରାଣୀଜୀବନ ଅନ୍ତକାଳେ । ମନ ଭ୍ରମଇ ଅନ୍ତରାଳେ । ପ୍ରାଣ ସଙ୍ଗତେ ଯାହା ଭାବେ । ସେ ଅନୁସାରେ ଜନ୍ମ ଲଭେ । ସେ ଆତ୍ମା ମନ ପଛେ ପଛେ । ସ୍ୱଭାବେ ବୁଲଇ ପ୍ରତ୍ୟକ୍ଷେ । ଏଣୁ ସେ ମନ ଥାଏ ଯହିଁ । ଏ ଜୀବଆତ୍ମା ମିଳେ ତହିଁ । ଏ ଆତ୍ମା ଅହଙ୍କାରେ ବନ୍ଦୀ । ଅଦୃଷ୍ଟବଶ ନିରବଧି । ଏଣୁ ଏ ନାନା ମନୋରଥେ । ବିଷୟ ଜ୍ଞାନ ଅବିରତେ । ଧ୍ୟାନେ ଚିନ୍ତଇ ସ୍ୱର୍ଗବାସ । ତେବେହେଁ ଇନ୍ଦ୍ରପଦେ ଆଶ । ଭୂମିରେ ଚିନ୍ତେ ରାଜପଦ । ନାନାପ୍ରକାରେ ଭୋଗେ ଶଧ । ଏମନ୍ତେ ଚିନ୍ତଇ ନିରତେ । ମନ ଭ୍ରମଇ ନାନାମତେ । ଏମନ୍ତ ଚିତ୍ତ ଯହିଁ ରହେ । ଜ୍ଞାନ ହରାଇ ପୂର୍ବଦେହେ । ମନ ନିଶ୍ଚଳ ଜୀବସଙ୍ଗେ । କର୍ମ ମିଳଇ ତାର ଆଗେ । ସେ ପରଦେହେ ଯେବେ ପଶେ । ଏକାନ୍ତେ ମନ ତହିଁ ମିଶେ । ଆତ୍ମା ସଙ୍ଗତେ ରହେ ଧୀରେ । ପୂର୍ବ ଶରୀର ସେ ପାସୋରେ । ଲଭଇ ପରଦେହ ସଙ୍ଗ । ତେବେ ପାସୋରେ ପୂର୍ବଅଙ୍ଗ ।