ପୃଷ୍ଠା:Typical selections from Oriya literature.pdf/୨୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫୨
ଓଡ଼ିଆ ସାହିତ୍ୟ-ପରିଚୟ

ତାହାର ସମୟରେ ପୁଣ । ନାଶିବ ସର୍ବ ଗୁଣମାନ ।
ବ୍ରାହ୍ମଣ ସଂସାର ଏ ହୀନ । ଶୁଦ୍ର ପ୍ରାୟେକ ଆଚରଣ ।
କରିବେ ଶୂଦ୍ର ଧର୍ମ କର୍ମ । ବେଦ ବିଦ୍ୟାରେ ହେବେ ଭ୍ରମ ।
ଏ ପୁରଞ୍ଜୟ ବଂଶେ ପୁଣ । ଚଉଦପରୁଷ ରାଜନ ।
ସାତଶ ଅଶୀ ଯେ ବରଷ । ରାଜାପଣେ ପାଳିବେ ଦେଶ ।
ଏ ଅନ୍ତେ ପୁଣ ସେ ରାଜନ । ହୋଇବେ ଯେମନ୍ତ ଭାବେଣ ।
ଚନ୍ଦ୍ରଭାଗା ଯେ ସିନ୍ଧୂ-ତ‌ଟ । କୌନ୍ତି ଯେ କାଶ୍ମିର ନିକଟ ।
କାଞ୍ଚିକାବେରୀ ନୀଳଗିରି । ଶୂଦ୍ରେ ହୋଇବେ ଅଧିକାରୀ ।
ମ୍ଳେଛଶରୀରେ ରାଜାହେବେ । ଅଧାର୍ମିକ ପଣେ ବର୍ତ୍ତିବେ ।
ଗୋରୁ ବ୍ରାହ୍ମଣଦି ମାରିବେ । ମିଥ୍ୟା ବାଦରେ ଦିନ ନେବେ ।
ହିଂସା ଗ୍ରାମ୍ୟଧର୍ମ ଆଚରି । ସ‌ତ୍ୟଗୁଣକୁ ନ ବିଚାରି ।
ଅଳପ ଦାନ ସେହୁ ଦେବ । ଅଳପେ କ୍ରୋଧ ସେ କରିବେ ।
ଅଦୋଷେ ଦଣ୍ତିବେ ପ୍ରାଣିଙ୍କି । ବିଚାର ନୋହିବ କାହିଁକି ।
ସ୍ତିରୀ ବାଳକ ଗୋ ବ୍ରାହ୍ମଣ । ମାରି କ‌ରିବେ ରଣଭଣ ।
ପରଦ୍ରବ୍ୟ ବଳେ ହରିବେ । ପ୍ରାଣିଙ୍କି ରୋଷ ସେ ବ‌ହିବେ ।
ଅଳପ ସମ୍ପ‌ତ୍ତି ହୋଇବ । ଉଦୟ ଅସ୍ତ ପ୍ରାୟେ ଯିବ ।
ଅଳପଦିନେ ଯିବେ ନାଶ । ଦୟା ଅଯଶେ ରଖି ବଂଶ ।
ଯମ‌ଭୁବନ ସେ ଦେଖିବେ । ଅନ୍ତେ ନର୍କଗତିକି ଯିବେ ।
ଅସଂଖ୍ୟ କରି କ୍ରିୟାହୀନ । ରଜ ତମରେ ଯୁକ୍ତ ମନ ।
ସେ ମ୍ଳେଛରୂପ ରାଜାମାନ । ପ୍ରଜାଙ୍କୁ କରିବେ ଉର୍ତ୍ସନ ।
ସେ ଦିନେ ପ୍ରଜାମାନେ ପୁଣ । ଦେଖିଣ ରାଜା ଆଚରଣ ।
ଅବିଦ୍ୟା ଅକର୍ମେ ବର୍ତ୍ତିବେ । ସେ ରାଜଭାଷାହିଁ କ‌ହିବେ ।
ପ୍ରଜାଏ ଅନ୍ୟେ ଅନ୍ୟେ ହୋଇ । ଆପଣାଛାଏଁ ନାଶ ଯାଇ ।
ଏକ ଆରକେ ଗର୍ବ କରି । ମରିବେ ହିଁସା ଭାବ ଧରି ।
ରାଜାଏ ପ୍ରଜାଙ୍କୁ ନାଶିବେ । ଗୁହାରୀ କଲେ ନ ଶୁଣିବେ ।
ଶୁକ କ‌ହ‌ନ୍ତି ତୋଷମନେ । ଶୌ‌ନ‌କ ମୁନି ସନ୍ନିଧାନେ ।
କ‌ହଇ ଜଗନ୍ନାଥ ଦାସ । କଳିର ଆଗତ ଭବିଷ୍ୟ ।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱାଦଶସ୍କନ୍ଧେ ଭବିଷ୍ୟ କ‌ଥନେ ରାଜବଂଶାନୁକୀର୍ତ୍ତନେ
ନାମ ପ୍ରଥମୋଧ୍ୟାୟଃ ।