ତୂଳାଭିଣା
BY JAGANNATH DAS
ପାର୍ବତୀ ବସି ଏକଦିନେ । କହନ୍ତି ବସି ଶିବ-ସନ୍ନିଧାନେ ।
ହେ ପ୍ରଭୁ କରୁଣା-ସାଗର । କେମନ୍ତେ ହୋଇଲା ସଂସାର ।
ତାହାର ତତ୍ତ୍ୱ ମୋତେ କହ । ଯେଣେ ଖଣ୍ତିବ ଭବମୋହ ।
କହିବା ଶୁଣ ଗୋ ପାର୍ବତି । ମହାଶୂନ୍ୟରୁ ହେଲା ଜ୍ୟୋତି ।
ଜ୍ୟୋତିରୁ ସ୍ଥୂଳରୂପ ହେଲା । ସ୍ଥୂଳରୁ ବିନ୍ଦୁ ପ୍ରକାଶିଲା ।
ବିନ୍ଦୁରୁ ଅର୍ଦ୍ଧମାତ୍ରା ଜାତ । ତାତହୁଁ ଓକାର ସମ୍ଭୂତ ।
ଓକାର ବ୍ରହ୍ମରୁ ଜଗତ । ଶୁଣ ପାର୍ବତୀ । ଦେଇ ଚିତ୍ତ ।
ଶୁଣି ପାର୍ବତୀ ତୋଷ ହେଲେ । ଈଶ୍ୱର-ଚରଣେ ପଡ଼ିଲେ ।
ବୋଲନ୍ତି ଆଦିଶକ୍ତି ବାମା । ଭୋ ନାଥ କହ ତୁଳାଭିଣା ।
ଓଁକାର ବ୍ରହ୍ମଟି ଜଗତ । ବୁଝାଇ କହ ବିଶ୍ୱନାଥ ।
ଶୁଣ ମୋହର ପ୍ରିୟତମା । ତୋତେ କହିବା ତୁଳାଭିଣା ।
ଆନକୁ ନ କହନ୍ତି ମୁହିଁ । ତୁ ମୋର ପଞ୍ଚପ୍ରାଣ ସହି ।
ଅଣାକାର ଯେ ଜ୍ୟୋତିରୂପ । ସେଠାରେ ନାହିଁ ରେଖରୂପ ।
ଧୂମ୍ରବର୍ଣ୍ଣର ପ୍ରାୟେ ଦିଶେ । ଅନ୍ଧକାରଟି ସେ ପ୍ରକାଶେ ।
ବ୍ରହ୍ମାଣ୍ତ ଅନ୍ଧକାର ହୋଇ । ଜ୍ୟୋତିରୂପରେ ସଂହରଇ ।
ସେଠାରୁ ଓଁକାର ଜନ୍ମିଲା । ଉକାର ସକାର ଯେ କଲା ।
ସକାରୁ ହୋଇଲା ମକାର । ମକାରୁ ଜନ୍ମିଲା ଉକାର ।
ଅନ୍ଧକାରଟି ଗୋପ୍ୟ ହେଲା । ଓଁକାର ବ୍ରହ୍ମ ପ୍ରକାଶିଲା ।
ଏମନ୍ତେ ହୋଇଲା ଦିବସ । ଦିବସୁ ଜଗତ ପ୍ରକାଶ ।
ଅର୍ଥରେ ଏବେ କହିଦେବା । ତୋ ମନୁ ସଂଶୟ ଫେଡ଼ିବା ।
ଅର୍ଥ । ଶୁଣ ଗୋ ପାର୍ବତି ! ଅନ୍ଧକାର ଯେ ହୋଇ, ସେକୁହୁକ ବର୍ଣ୍ଣଟି ।
ଜ୍ୟୋତି ବର୍ଣ୍ଣଟି କୁହୁକ ବର୍ଣ୍ଣ । ଧୁମ୍ରବର୍ଣ୍ଣଟି ଯେ ଅନ୍ଧକାର ହୋଇଲା ।
ସେ ବିନ୍ଦୁକୁ ଉକାର ଶବ୍ଦ କହି; ସ୍ଥୂଳରୂପ କହି ସେ ଉକାର ଶବ୍ଦୁଁ ।
ସକାର ଶବ୍ଦ ହେଲା । ସକାର ଯେ ଶକ୍ତି ସେ; ଶକ୍ତି ଯେ ଅର୍ଦ୍ଧମାତ୍ରା ।
ସେ; ମକାର ଶବ୍ଦ ହେଲା । ଏହିରୂପେଟି ଅନ୍ଧକାର ଯାଇ ଦିବସ ହେଲା ।