ପୃଷ୍ଠା:Typical selections from Oriya literature.pdf/୩୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭୩
ଓଡ଼ିଆ ସାହିତ୍ୟ-ପରିଚୟ

ଧର୍ମ ପ୍ରତିପାଳି ସୁଖେ ରାଜ୍ୟେ କର ଯାଇଁ ।
ଅଧର୍ମ କଲେଟି ସ‌ହି ନ ପାରଇ ମହୀ ।
ଏପରି ପ୍ରଜା ପାଳିବୁ ନୋହିବ କେ ଦୁଃଖୀ ।
ପ୍ରଜା ରକ୍ଷା କଲେ ସିନା ରାଜା ଅଟେ ସୁଖୀ ।
ରାଜ୍ୟ ପ୍ରତିପାଳନେ ସେ ଇନ୍ଦ୍ର କରେ ବୃଷ୍ଟି ।
ରାଜାର ପାଳନେ ସିନା ରକ୍ଷା ହୁଏ ସୃଷ୍ଟି ।
ପ୍ରଜାଙ୍କୁ ପାଳିବା ଅଟେ ରାଜାର ଯେ ବିଧି ।
ପ୍ରଜା ସୁଖେ ଥିଲେ ସେ ରାଜାର ସର୍ବ ସିଦ୍ଧି ।
ଦୋଷାଦୋଷ ବିଚାର କରିଣ ଦଣ୍ତ ଦେବୁ ।
ଦେଖି ତାହା ସୁଖୀହେଲବେ ପ୍ରଜାମାନେ ସବୁ ।
ଚାର ବରଗି ଦେଖିବୁ ବିଧି କି ଅବିଧି ।
ଯେ କରେ ସଦା ଅବିଧି ପକାଇବୁ ଛେଦି ।
ଦୋଷୀକି ଦଣ୍ତିଲେ ତୋତେ ନ ଲାଗିବ ଦୋଷ ।
ତେବେ ଲକ୍ଷ୍ମୀ ନିଶ୍ଚଳେ ରହିବେ ତୋର ଦେଶ ।
କୋଡିଏ ହାତରେ ଯେ କରିବୁ ଏକ କାଠି ।
ପଚିଶ ଗୁଣ୍ଠରେ ମାଣେ ବିଂଶମାଣେ ବାଟି ।
ବାଟିକର ଚିନାଏ ଯେ ଘେନିଥିଲେ ସଞ୍ଜା ।
ଆମ୍ଭ ଆୟୁ ଘେନି ବଞ୍ଚ ବୋଲିବେ ଯେ ପ୍ରଜା ।
ପ୍ରଜାମୁଖେ ଶୁଭେ ଯାର ଜୟ ଜୟ ଧ୍ୱନି ।
ଯମ ତାକୁ ଦଣ୍ତି ନ ପାରଇ ପାଶ ଘେନି ।
ରାଜ୍ୟ କଳି-ନିବାରଣେ ଭାଇଙ୍କି ପେଷିବୁ ।
ରାଜ୍ୟର ଖବର ତିନିବାର ବୁଝୁଥିବୁ ।
ଉତ୍ତମଲୋକ ଦେଖିଣ ମନ୍ତ୍ରୀ ଯେ କରିବୁ ।
କିନ୍ତୁ ତାର ହାତେ ଦଣ୍ତବିଧି ଯେ ନ ଦେବୁ ।
କୃଷିକାରି କି ଯେ ଧନ ଦ୍ୱାରା ନ ଦଣ୍ତିବୁ ।
ନିର୍ଦ୍ଦୋଷୀ ଦେଖିଲେ ତାକୁ କ୍ଷମା ଯେ କରିବୁ ।
ଛୋଟ ଘୋଡା ଦେବୁ ବୃଦ୍ଧ ରାଉତର ହାତେ ।
ପଚାଶ ବର୍ଷ ପଦାତି କରିଥିବୁ ନିତ୍ୟେ ।
ସତର ବରଷର ହୋଇଥିବ ଯେ ଗଜ ।
ବଳିଷ୍ଠ ମାହୁନ୍ତ ତାକୁ କରୁଥିବ ସଜ ।
ଅଶ୍ୱ ଗଜ ପଦାତି ନିରତେ ସାଜି ଥିବୁ ।
ବେଳା ଅନୁସାରେ ଅବକାଶ ଯେ କରିବୁ ।
ବ୍ରାହ୍ମଣ-ମୁଖରୁ ଯେ ପୁରାଣ ଶୁଣୁଥିବୁ ।
ନାରୀମାନଙ୍କୁ କଦାଚ ବିଶ୍ୱାସ ନ ଯିବୁ ।