ଭୀମ ଅରଜୁନ ନକୁଳ ସହିତେ ସହଦେବ ମନ୍ତ୍ରୀବର ।
ଦ୍ରୁପଦ-କୁମାରୀ ସହିତରେ ହାରି ଅମୂଲ୍ୟ ରତ୍ନଭଣ୍ତାର ।
ଅତି ଲଜ୍ଜାଭରେ ନୃପତି-ସଭାରେ ତଳେ ଛନ୍ତି ପାଞ୍ଚଭାଇ ।
ଭୀଷ୍ମ ଦ୍ରୋଣଗୁରୁ କର୍ଣ୍ଣ ସଙ୍ଗେ ମାନଗୋବିନ୍ଦ ବସି ଅଛଇ ।
ଶୀଘ୍ରକରି ଦୁଃଶାସନ ମୁଖ ଚାହିଁ ଆଜ୍ଞାଦେଲା କୁରୁରାଣ ।
ବାରୁଣାବନ୍ତକୁ ଯାଇଁ ଦ୍ରୋପଦୀର କେଶ ଧରି ବେଗେ ଆଣ ।
ହୋଇ ଏକନାରୀ ପଞ୍ଚଭର୍ତ୍ତା କରି ଦୋଲାଉଛି ମହାସତୀ ।
କେଡ଼େ ଶୋଭାବନ ଦେଖୁ ସର୍ବଜନ ଘେନିଆସ ମୋର କତି ।
ଦୁର୍ଯ୍ୟୋଧନ-ବାଣୀ ଦୁଃଶାସନ ଶୁଣି ଧାଇଁଲା ଅତି ପ୍ରଖରେ ।
ବୋଲେ ଭୀମା ହୀନ ପ୍ରବେଶ ହୋଇଲା ବାରୁଣାବନ୍ତ-ନଗରେ ।
ରାଗ-ଚୋଖି
ଶୁଣ ଆହେ ସୁଜ୍ଞନର ବାରୁଣାବନ୍ତ ନଗର
ହସ୍ତିନାକୁ ଦ୍ୱାଦଶ ଯୋଜନ ଅଟଇ ।
ପବନହୁଁ ଖରତର ଧାଇଁଲା ସେ ଦୁଃଶାବୀର ।
ପ୍ରବେଶ ହେଲା ବାରୁଣାବନ୍ତରେ ଯାଇଁ ।
ପାଦଘାତେ ମହୀ ଚମକେ ।
ଆରେ ଆରେ ପାଣ୍ତବାରେ ବୋଲିଣ ଡାକେ ।
ଭୟ ପାଇ ନଗ୍ରଲୋକେ ପଳାଇଣ ଗଲେ ଥୋକେ
ସିଂହହାରେ ଦୁଃଶାସନ ପଶିଲା ଠେଲି ।
ଦ୍ୱାରେ ଦ୍ୱାରିମାନେ ଥିଲେ କୁନ୍ତୀଙ୍କ ଆଗେ କହିଲେ
ଦୁର୍ଯ୍ୟୋଧନ-ଭ୍ରାତ ଦୁଃଶା ଆସୁଛି ପେଲି ।
ଶୁଣି କୌନ୍ତଭୋଜକୁମାରୀ ।
ଯାଇଁ ସିଂହଦ୍ୱାର ମାଡି ବସିଲେ ନାରୀ ।
କୁନ୍ତୀ ବୋଇଲେ ରେ ବାବୁ ରହ ରହ କଥା ସବୁ
ପଚାରିବା କିପାଁ ତୁହି ଭିତରେ ପଶୁ ।
ସିଂହର ଭୁବନେ ଆସି ଶୃଗାଳ ପଶଇ ଝାସି
କହ ଏ ଚରିତ ମନୁ ସଂଶୟ ନାଶୁ ।
ଦୁଃଶା କର ଯୋଡି ଜଣାଏ ।
ମନ୍ଦକୃତ୍ୟ କଲେ ମାଗୋ ତୁମ୍ଭର ପୋଏ ।
ଯୁଧିଷ୍ଠି ହସ୍ତିନା ଗଲେ ମାନଗୋବିନ୍ଦର ତୁଲେ
ପଶାଖେଳ ରସେ ମାତି ହୋଇଲେ ଭୋଳ ।