ପୃଷ୍ଠା:Typical selections from Oriya literature.pdf/୩୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୭
ଓଡ଼ିଆ ସାହିତ୍ୟ-ପରିଚୟ

ଆମ୍ଭ ପୁରଜନେ ତା ଜାଣି ଭଲ କରି ।
ତାହାଙ୍କଠାରେ ସ୍ନେହଥାନ୍ତି ମନେ ଧରି ।
ହେ ପୁତ୍ରେ ପାଣ୍ତୁପୁତ୍ରେ ଏରୂପେ ବଳିୟାର ।
କିରୂପେ ବଳେଟି କରିବା ଅପକାର ।
ପିତୃକ୍ରମରେ ତ ପ୍ରାପତ ରାଜ୍ୟ ତାଙ୍କୁ ।
ପାରିବା ନାହିଁ ଆମ୍ଭେ ତାଙ୍କୁ ଖେଦିବାକୁ ।
ନିଃସ‌ହାୟ ନୁହ‌ନ୍ତି ପାଣ୍ତୁଙ୍କ କୁମର ।
ବଳରେ ସେ କୁରୁଙ୍କ ପ୍ରତି ବଳିୟାର ।
ପାଣ୍ତୁ ଯେଉଁକାଳେ ରାଜା ହୋଇଥିଲେ ।
ହସ୍ତିନାବାସୀଙ୍କି ସେ ସୁଖେ ପୋଷିଥିଲେ ।
ଉତ୍ତମ ମନ୍ତ୍ରୀ ବାଛି ରଖିଥିଲେ କତି ।
ଜାଣନ୍ତି ଯେଣୁ ପାଣ୍ତୁ ଉତ୍ତମ ରାଜନୀତି ।
ଏହି ସକାଶରୁ ଆହେ ଦୁର୍ଯ୍ୟୋଧନ ।
ପୂର୍ବକାଳୁଁ ଏ ଲୋକେ ତାଙ୍କର ଅଧୀନ ।
ଯୁଧିଷ୍ଠିରଙ୍କର ପାଇଁ ସେ ଆମ୍ଭଙ୍କୁ ।
ମାରି ପକାଇବେ ଆସୁଛି ମନ‌କୁ ।
ବାପଙ୍କଠାରୁ ଶୁଣି ଏମନ୍ତ ବଚନ ।
ହସି ଜଣାଇଲେ ତାହାଙ୍କୁ ଦୁର୍ଯ୍ୟୋଧନ ।
ଏ କଥା ମୁଁ ତାତ ଉତ୍ତମ କରି ଜାଣି ।
ଦ୍ରବ୍ୟ ଦେଇ ପୂଜିଛି ହସ୍ତିନା ନରଶ୍ରେଣୀ ।
ନିଶ୍ଚେ ସେ ଲୋକମାନେ ହେବେ ମୋ ସ‌ହାୟ ।
ଏ କଥାରେ କିଛି ନାହିଁହେ ସଂଶୟ ।
ସମସ୍ତ ଦ୍ରବ୍ୟ ଯାକ ମୋଠାରେ ଅଛନ୍ତି ।
ମନ୍ତ୍ରୀମାନେ ମଧ୍ୟ ମୋତେ ଭଜିଛନ୍ତି ।
ଏବେ ପାଣ୍ତବକୁ ଅଣାଅ ଡକାଇ ।
କ‌ହିବା କୋମଳରେ କଥା ସ୍ନେହଥାଇ ।
ବାରଣାବତ ନାମେ ଅଛି ଯେଉଁ ପୁର ।
ତ‌ହିଁକି ଯାଅବୋଲି ହୋଇଣ ସତ୍ୱର ।
ସେମାନେ ଗଲେ ଆମ୍ଭେ ନିର୍ଭୟ ହୋଇବା ।
ମହାସୁଖେ ନୃପ ଆସନେ ବସିବା ।
ଯେବେ ଦୃଢ଼ମୂଳ ହେବେ ରାଜ୍ୟ‌ଯାକ ।
ତେବେ ପାଣ୍ତୁପୁତ୍ରେ ରହିବେ ହୋଇ ଲୋକ ।
ଧୃତରାଷ୍ଟ୍ର ଶୁଣି ବୋଇଲେ ଦୁର୍ଯ୍ୟୋଧନ ।
ଏ କଥା ହୃଦେ କରିଥିଲି ମୁଁ ଆଚ୍ଛନ୍ନ ।