ପୃଷ୍ଠା:Typical selections from Oriya literature.pdf/୩୫୫

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


କଳାକଳେବର ଚୌତିଶା
ରାଗ ରାମକେରୀ
କଳା କଳେବର କ‌ହ୍ନାଇ ସଙ୍ଗେ ରୋହିଣୀସୁତ ।
କରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ ।
ଖସି ପଡ଼ୁଛି କି ଆକାଶୁ କି ଏ ଗଙ୍ଗା ଯମୁନା ।
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶଗଲା ପୂତନା ।
ଯମୁନା ନିକଟ ବନରେ ଘୋର ବରଷା କାଳ ।
ଗିରି ବାମକରେ ଧଇଲେ ନନ୍ଦ ଯଶୋଦାବାଳ ।
ଘରେ ନ ରହ‌ନ୍ତି ଗଉଡ଼େ ବଡ଼ ଅଧମଜାତି ।
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି ।
ଉଇଁ ଆସୁଛି କି ପୂର୍ଣ୍ଣିମାଶଶୀ ମଧୁସାଗରୁ ।
ଉଠ ମଧୁପୁର-ଯୁବତୀ ଓଗାଳିବା ଆଗରୁ ।
ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ ।
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ ।
ଛନ‌କା ପଶିଲା ଛାତିରେ ଜାତି କୁଳ ଉପେକ୍ଷି ।
ଛାଡ଼ିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି ।
ଜ‌ହର ସଙ୍ଗତେ ମହୁରା ଆସି ହେଲା ନିୟତ ।
ଯୁବତୀକୁଳକୁ ଦଇବ କଲା ଏ ହ‌ନ୍ତସନ୍ତ ।
ଝଡ଼ି ପଡ଼ୁଛି କି ଝୁଣ୍ଟିଆ ଝସକେତନ ଘାତେ ।
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁଁ ବ‌ହୁଅଛି ନିରତେ ।
ନୟନ ଉପରେ ଭ୍ରୁଲତା କିଏ କାମକମାଣ ।
ନୁହ‌ନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ ।
ଟୋପି ଟୋପି ଗୋପୀ ଚନ୍ଦନ ମଣ୍ତିଛନ୍ତି କି ସଜେ ।
ଟେକି ବାରେ ଚାହାଁ ମଥୁରା ଦାଣ୍ତେ ଗୋବିନ୍ଦ ବିଜେ ।
ଠାବେ ଠାବେ ଗୋଳ ଚ‌ହଳ ସିଙ୍ଘା ବେଣୁ ବଇଁଶୀ ।
ଠିଆ ହୋଇ ଭକ୍ତଦାସ ତା ଦାଣ୍ତେ ଦେଖନ୍ତି ଆସି ।
ଡାକନ୍ତି ଏକ‌କୁ ଆରେକ ଆସ ଜୀବଜୀବନ ।
ଡୋଳାରେ ଏରୂପ ଦେଖିବା ବିଜେ ମଧୁସୂଦନ ।
ଢ଼ଳି ଢ଼ଳି କୃଷ୍ଣ ନାଚନ୍ତି ଭଙ୍ଗି ଦେଖ ମିତଣି ।
ଢ଼ାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି ।
ଅଳକାରେ ସରୁକାଇଁଚ ମଣ୍ତିଛନ୍ତି କି କରେ ।
ଅଣହେଳା ପାଉଥିବେ ଗୋ ନନ୍ଦଗଉଡ଼ ଘରେ ।