Jump to content

ପୃଷ୍ଠା:Typical selections from Oriya literature.pdf/୩୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୩୧୯
ଓଡ଼ିଆ ସାହିତ୍ୟ-ପରିଚୟ

ହେଲେ ହେବୁଁ ପଛେ କୁଳଟା ହାର କରିବୁ ଗଳେ ।
ହସୁଥିବୁଁ ତାଙ୍କ ସଙ୍ଗରେ ବସୁଥିବୁଁ ଗୋ କୋଳେ ।
ଛାଡ଼ି ଲଜ୍ଜା ଭୟ ତା ରୂପ ଦରପଣେ ମାଜିବା ।
ଛାର କ‌ହେ ଭକ୍ତଦାସ ତା ଧ୍ୟାୟେ ରଜନୀ ଦିବା ।



ମ‌ନ‌ବୋଧ ଚୌତିଶା
BY BHAKAT CHARAN DAS

କ‌ହଇ ମନ ଆରେ ମୋ ବୋଲ କର ।
କଳାଶ୍ରୀମୁଖ ବାରେ ଦେଖିବା ଚାଲ ରେ ।
କେତେଦିନ‌କୁ ମନ ବାନ୍ଧିଛୁ ଆଣ୍ଟ ।
କି ଘେନି ଯିବୁ ତୋର ଛୁଟିଲେ ଘଟ ରେ ।
ଖଣ୍ତି ଯେ ଖଣ୍ତି ତୋର ପଞ୍ଜରା କାଠି ।
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ରେ ।
ଖଟ ପଲଙ୍କେ ମନ ଶେଯାଇଁ ଶୋଉ ।
ଖଳଦୁର୍ଗନ୍ଧ ହେବ ଏ ତୋର ଦେହୁ ରେ ।
ଗଲେଣି ତୋ ସଙ୍ଗତୁଁ ଯେତେକ ଜନ ।
ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ ରେ ।
ଗୁରୁ ଗୋବିନ୍ଦ ନାମ ତୁଣ୍ତେ ନ ବୋଲୁ ।
ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ରେ ।
ଘର ବୋଲି ଅର୍ଜ୍ଜିଛୁ ଯେତେ ପଦାର୍ଥ ।
ଘଟ ଛୁଟିଲେ ତୋତେ ବୋଲିବେ ଭୂତ ରେ ।
ଘରଘରଣୀ ଦେହ କିଳାଉ ଥିବେ ।
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ରେ ।
ଉଦ୍ଧାର ହେବୁ ଯେବେ ଭବସାଗରୁ ।
ଉପାୟ କରି ଭଜ ଏବେ ଶ୍ରୀଗୁରୁ ରେ ।
ଊଣା ହେଉଛି ଦିନୁ ଦିନୁ ଆୟୁଷ ।
ଆଉ ଏଣିକି ଅଛି କେତେ ବୟସ ରେ ।
ଚିତ୍ରପ୍ରତିମା ପ୍ରାୟେ ଦିଶୁ ସୁନ୍ଦର ।
ଚିରି ଭିତରେ ଦେଖ କି ନାମଖାର ରେ ।
ଚର୍ମ୍ମ ବେଢ଼ିଛି ସିନା ଚଉରାଶିକି ।
ଚିତ୍ତ ତୁ ଦିଅ ନୀଳଗିରି ବାସିଙ୍କି ରେ ।