ଓଡ଼ିଆ ସାହିତ୍ୟ-ପରିଚୟ
କୋଇଲି ମାଳିକା
1. କେଶବ କୋଇଲି
ମାର୍କଣ୍ତେୟ ଦାସ
କୋଇଲି ! କେଶବ ଯେ ମଥୁରାକୁ ଗଲା ।
କାହାବୋଲେ ଗଲା ପୁତ୍ର ବାହୁଡ଼ି ନଇଲା । (ଲୋ କୋଇଲି)
କୋଇଲି ! ଖଣ୍ତ କ୍ଷୀର ଦେବି ମୁଁ କାହାକୁ ।
ଖାଇବାର ପୁତ୍ର ଗଲା ମଥୁରାପୁରକୁ । (ଲୋ କୋଇଲି)
କୋଇଲି ! ଗଲା ପୁତ୍ର ବାହୁଡ଼ି ନଇଲା ।
ଗହନତ ବୃନ୍ଦାବନ ଶୋଭା ନ ପାଇଲା । (ଲୋ କୋଇଲି)
କୋଇଲି ! ଘର ମୋର ନ ମଣନ୍ତି ନନ୍ଦ ।
ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ । (ଲୋ କୋଇଲି)
କୋଇଲି ! ନନ୍ଦଦେହ ପାଷାଣେ ଗଢ଼ିଲା ।
ନୟନେ କଜ୍ଜ୍ୱଳ ଦେଇ ରଥେ ବସାଇଲା । (ଲୋ କୋଇଲି)
କୋଇଲି ! ଚଳୁଥାଇ କଟିସ୍ଥ ମେଖଳୀ ।
ଚକିତ ହୋଇଲେ ଶୁଣି ଗୋପପୁରବାଳୀ । (ଲୋ କୋଇଲି)
କୋଇଲି ! ଛାଟକ ମୁଁ ମାଇଲି ପୂରୂବେ ।
ଛାଡ଼ି ଅବା ଗଲେ କୃଷ୍ଣ ସେହି ପରାଭବେ । (ଲୋ କୋଇଲି)
କୋଇଲି ! ଦୂତପଣେ ଅଇଲା ଅକ୍ରୂର ।
ଯାତ୍ରା ବୋଲି ଭଣ୍ତିନେଲା ବସାଇ ରଥର । (ଲୋ କୋଇଲି)
କୋଇଲି ! ଝୁରୁଝୁରୁ ଲୁହ ନ ରହିଲା ।
ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା । (ଲୋ କୋଇଲି)
କୋଇଲି ! ନିଶାକାଳେ ହରି ମାଗେ ଚାନ୍ଦ ।
ନୟନ ଟେକିଣ ତାଙ୍କୁ ରାଉଥାନ୍ତି ନନ୍ଦ । (ଲୋ କୋଇଲି)
କୋଇଲି ! ଟହ ଟହ ହସୁଥାନ୍ତି କୋଳେ ।
ଟଳ ଟଳ ହେଉ ଥାନ୍ତି ଝୁଲିବାରବେଳେ । (ଲୋ କୋଇଲି)
କୋଇଲି ! ଠଣ ଯେ ସୁନ୍ଦର ବେନିପୋଏ ।
ଠକି ଭଣ୍ତି ଗଲେ କୃଷ୍ଣ ନଇଲେ ଭେଡ଼ାଏ । (ଲୋ କୋଇଲି)