ପୃଷ୍ଠା:Typical selections from Oriya literature.pdf/୩୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୨
ଓଡ଼ିଆ ସାହିତ୍ୟ-ପରିଚୟ

ରାମ ସଜ ଅତିଶୋଭା, ଦେଖି ମନ ନେତ୍ର ଲୋଭା, ଗୋପ‌ପୋଏ ସେହିମତି ସଜ ।
ବେନି ମତ୍ତସିଂହ ସଙ୍ଗେ, ମତ୍ତଗଜ କିବା ରଙ୍ଗେ, ତେହ୍ନେ ଶୋଭା ବରଜ ତନୁଜ ସେ । ଗୋପୀମାନେ ।
ଚଉପାଶେ ସିଂହର ଘରଣୀ, ଦେଖି ଶୋଭା ପାଉଛି ଧରଣୀ ସେ ।
ଗ‌ହଳ ଗୋକୁଳ ଦାଣ୍ତ, ଆନନ୍ଦ ହୋଇ ବ୍ରହ୍ମାଣ୍ତ, ବିଚାରଇ ଯିବ ଏବେ ଭାରା ।
ମଥୁରାକୁ ଯିବେ ହରି, ମାରିବେ କଂସକୁ ଧରି, ଏତେ ବୋଲି ଆନନ୍ଦିତ ଧରା ସେ । ବସୁମତୀ ।
ଯ‌ହୁଁ ରଥେ ବିଜେ ଗୋପୀନାଥ, ଭକ୍ତ ଦାସ ହୋଇବ ଅନାଥ ହେ ।

ନବମ ଛାନ୍ଦ
ଆଷାଢଶୁକ୍ଳ ବାଣୀ

କୃଷ୍ଣଙ୍କ ମଥୁରା ଗମନରେ ଗୋପୀମାନଙ୍କ ଦଶା
ଗୋବିନ୍ଦବିଚ୍ଛେଦେ ବରଜନାରୀ । କୁରଙ୍ଗନୟକୁ ବହଇ ବାରି ।
ଫିଟିଲା କବରୀ ତୁଟିଲା ହାର । ଶୁଖିଲା ରଙ୍ଗିମା-ଜବା ଅଧର ।
ଅଙ୍ଗୁ ବ‌ହେ ଝାଳ । ପାଣ୍ତୁର ଦିଶେ ହେମ-ଗଣ୍ତସ୍ଥଳ ।
କାହା ବଦନୁ ନ ସ୍ଫୁରଇ ବାଣୀ । ବାହାର ନ ଚଳଇ ପାଦ ପାଣି ।
କାହାର ହିଆ ହୋମ ଦମଦମ । କାହା ନାସାରୁ ନ ବ‌ହେ ପବ‌ନ ।
କେ ଭୂମିରେ ପଡ଼େ । କେହୁ ବେନିବାହୁ ହୃଦରେ କୋଡ଼େ ।
କେ ନେଇ ଶିରେ ମାରଇ ପଥର । କେହୁ ବୋଲେ ସଖି ମଲି ଏଥର ।
କେ ବୋଲେ କାହିଁକି ପରାଣ ଅଛି । ଦାରୁଣ ଯମ ପକା ପାଞ୍ଜି ପୋଛି ।
ମୁଁ ହୁଅଇଁ ନାଶ । କେ ବୋଲେ ଆସ ଗୋ ଖାଇବା ବିଷ ।
କେ ବୋଲେ ଝାସିବା ଯମୁନାଗଣ୍ତେ । କେ ବୋଲେ ଅନଳ ଜାଳିବା ପିଣ୍ତେ ।
କେ ବୋଲେ କଣ୍ଠେ ଚଳାଇବା ଛୁରୀ । କେ ବୋଲେ ଆଖି ପକାଇବା ଖୋଳି ।
ଅନ୍ଧ ହେଲେ ଭଲ । କେ ବୋଲେ ଅକ୍ରୂର ମାରିବା ଚାଲ ।
କି କରିବ କରୁ ନୃପତି କଂସ । ରହିବା ନାହିଁ ପଛେ ତାର ଦେଶ ।
ସମ୍ପଦେ ଆମ୍ଭର ନାହିଁ ଭରସା । ଅନ୍ୟ ଦେଶେ ଯାଇଁ କରିବା ବସା ।
ଆମ୍ଭ କୃଷ୍ଣ ଥାଉ । ନୋହିଲେ ଅକ୍ରୂର ବାହୁଡ଼ି ଯାଉ ।
କାହାର ହାର ହୋଇଲା ଶିଥିଳ । କାହାର ଖସିଲା କଟି ଦୁକୂଳ ।
କାହା କବ‌ରୀ ଚରଣରେ ଲୋଟେ । ସ୍ୱରଭେଦେ କାହା କଣ୍ଠ ନ ଫିଟେ ।
କରନ୍ତି ବିଳାପ । ଘୋଟି ଯାଉଅଛି ସନ୍ତାପ-ଆପ ।
କେ ବୋଲେ ରସିକସାଗର ହରି । ମାରିତ ଯାଉଛି କୁଳକୁମାରୀ ।
କେ ବୋଲେ ରାହୁବଇରିବଦନ । କେ ବୋଲେ ଷଣ୍ଢ ଶକଟମର୍ଦ୍ଦନ ।
କେ ବୋଲେ ବକାରି । କେ ବୋଲେ କାଳୀ ଗର୍ବଖର୍ବକାରୀ ।