ପୃଷ୍ଠା:Typical selections from Oriya literature.pdf/୩୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୦
ଓଡ଼ିଆ ସାହିତ୍ୟ-ପରିଚୟ

କାହାକୁ ସମର୍ପିବି ଅପୂର୍ବ ଧନ ।
ଏ ଧନ ଦେଲେ ସିନା ନନ୍ଦନନ୍ଦନ ଯେ ।
ଏହା ଅର୍ଜିଲା ବିତ୍ତ ଏହାକୁ ଦେବି ।
ନ ନେବ ଯେବେ ଅଗ୍ନି ଜାଳି ମରିବି ଯେ ।
ଏତେ ବିଚାରି ନାରୀ ଛାଡ଼ିଲା ଲାଜ ।
ଧାଇଁ ଧଇଲା ଯାଇଁ ଗୋବିନ୍ଦଭୁଜ ଯେ ।
ବୋଲେ ଶୁଣିମା ହେଉ ବ୍ରଜମୋହନ ।
ଯାହା ମାଗୁଛି ତାହା ଦିଅ ବହନ ଯେ ।
ବିଧୁବଦନେ ବନମାଳୀ ଭାଷନ୍ତି ।
କି ବର ମାଗୁଅଛୁ ମାଗ ଯୁବତୀ ରେ ।
ଦେବଇଁ ସତ୍ୟ ମୋର ଆରେ କୁବୁଜା ।
ବାଳୀ ବୋଇଲା ହେବି ତୁମ୍ଭ ଭାରିଯା ହେ ।
ଏ ନବ ଯଉବନ ତୋହର ସିନା ।
ଦେଖ ମୁଁ ଦିଶୁଅଛି କେମନ୍ତ କିନା ହେ ।
ରୋପିଲା ବୃକ୍ଷ ଫଳ ଆପଣେ ଭୁଞ୍ଜି ।
ଜାଣି ବିରିଞ୍ଚି ତାହା ଅଛଇ ଖଞ୍ଜି ହେ ।
ଭୋଗ ନ କଲେ ତାଙ୍କୁ ବୋଲି ଅଯୋଗ୍ୟ ।
ଲାଜ ହୁଅଇ ପରେ ହୋଇଲେ ଭୋଗ୍ୟ ଯେ ।
ତୁ ସିନା ରୂପବତୀ କରିଛୁ ମୋତେ ।
ଏଣୁ ଯୋଗ ଏ ହରି କହୁଛି ତୋତେ ଯେ ।
କହି ନ ଛାଡ଼ୁ କର ଧରି ଶ୍ରୀହରି ।
ଦେଖି ସଙ୍କୋଚ କଲେ କୁଞ୍ଜବିହାରୀ ଯେ ।
ବୋଲନ୍ତି ସଙ୍ଗେ ମୋର ଅଛନ୍ତି ହଳୀ ।
ଲଜ୍ଜା କି ନାହିଁ ତୋତେ ମଥୁରାବାଳି ରେ ।
ଆଗେ ମୁଁ କଂସ ଦର୍ପ କରଇ ଜୁରି ।
ବନ୍ଧୁଜନମାନଙ୍କ ସନ୍ତାପ ହରି ଯେ ।
ତେବେ ଆସିବି ତୋର ପୁରକୁ ମୁହିଁ ।
ପୁରି ମଣ୍ତଣି କରୁଥାଅ ଯା ତୁହି ଗୋ ।
ଶୁଣି କୁବୁଜା ମନେ ଆନନ୍ଦ ହେଲା ।
ମେଲାଣି ମାଗି ନିଜଭୁବନେ ଗଲା ହେ ।
ସାଜିଲା ନାନା କଉତୁକେ ମନ୍ଦିର ।
ଯେସନେ ଦିଶେ ବାରସ୍ପତି ସୁନ୍ଦର ଯେ ।
ଗୋବିନ୍ଦ ଆସିବାକୁ ବଢ଼ାଇ ଆଶ ।
ଆପଣେ ହେଲା ବାଳୀ ବିଚିତ୍ର ବେଶ ଯେ ।