ରାଗ- କଲ୍ୟାଣ ଆହାରୀ
କେତେ ଦିନେ ନନ୍ଦମନ୍ଦିରେ ଆନନ୍ଦେ ରହିଲେ ଶ୍ୟାମଘନଦୂତ ।
ମେଲାଣି ହୋଇ ଗୋପଭୂପ ଛାମୁରୁ ସାଜିଲା ଚିତ୍ର କରି ରଥ ।
ଅନେକ ଅଳଙ୍କାର ଦେଲା ଗୋପେଶ ।
ଗୋବିନ୍ଦ ଛାମୁକୁ ଉଦନ୍ତ ଉତ୍ତର କହିଲେ ଯେତେ ନୋହେ ଶେଷ ।
ଉଦ୍ଧବ ମଥୁରା ଯିବା ସଜ ଦେଖି ବିଚାର କଲେ ବ୍ରଜନାରୀ ।
ଆମ୍ଭ ବେଦନା ଗିରିଧାରୀ ଛାମୁକୁ ଲେଖିବା ସଖି କଥା ଚାରି । ଶୁଣି ସେ ।
କରିବେ ହୃଦେ ଅବା ଦୟା ।
ଏଢେ ଭାଳି ସର୍ବଗୋପୀ ସୀମନ୍ତିନୀ ଆନନ୍ଦେ ପ୍ରଫୁଲ୍ଲିତ ହିୟା ।
ଚକୋରନୟନୀ ଚନ୍ଦ୍ରମାବଦନୀ ଚାରୁଚାମୀକର ବରନା ।
କରିକୁମ୍ଭସ୍ତନା କରକରଦନା କଳାକରହାସୀ ନବୀନା ।
କୁଟିଳା କୁନ୍ତଳାମରାଳ-ଗମନା ।
ବୀଣାଜିଣାଭାଷୀ ବୃଷଭାନୁଜେମା ଆଗେ କହିଲେ ବ୍ରଜାଙ୍ଗନା ।
ଲେଖଗୋ ଗୋବିନ୍ଦ ଛାମୁକୁ ଚିଟାଉ ଏ ଆମ୍ଭର ଯେତେ ବିଷୟ ।
ଶୁଣି ଗୁଣବତୀ ଆନନ୍ଦ ହୋଇଲା ବୋଲେ ଲେଖନ ପତ୍ର ଦିଅ ।
ଶୁଣି ସେ ସୁରଙ୍ଗିଣୀ ବେଗେ ଉଠିଲା ।
ତକ୍ଷଣେ କରେ ସମର୍ପଣ କରାଇ ଲିହ ବୋଲି ପାଦେ ଲୋଟିଲା ।
ଶୁଣି ଚନ୍ଦ୍ରାନନୀ ଧଇଲେ ଲେଖନୀ ବାମକରେ ପତ୍ର ଶୋହଇ ।
ପ୍ରଥମେ ଗୋପୀନାଥ ପାଦେ ଶରଣ ବୋଲି ଖଞ୍ଜନାକ୍ଷୀ ଲିହଇ ।
ଗୋକୁଳ ସୁନ୍ଦର ବରଜ ନନ୍ଦନ ।
ନବଜଳଧର ବରଣ ଯଶୋଦାନନ୍ଦନ ଜଗତବନ୍ଦନ ।
ଅନାଥର ନାଥ ହୋଇଣ ଅନାଥ କରିଗଲ ହଟନାଗର ।
ସାରସନୟନ ମୁରଲୀବଦନ ଦୁଃଖହର କୃପାସାଗର ।
ଦୂରିତ ଦହନ ମଦନ ମୋହନ ।
ପୂତନା ଷଣ୍ତ ଶକଟ ତୃଣ ବକ ଯାମଳାଅର୍ଜ୍ଜୁନ ଭଞ୍ଜନ ।
ଏମାନଙ୍କ ଦଣ୍ତ ଯେଡ଼େ ବଡ଼ ତାହା ଆପଣେ ଜାଣିଛ ଗୋବିନ୍ଦ ।
ତେଡ଼େ ବିପତ୍ତିମାନଙ୍କୁର ସମ୍ଭାଳି ରଖିଛ ବୃନ୍ଦାବନଚନ୍ଦ୍ର ।
ଏବେ ସେ ଲେଉଟିଲେ କିସ କରିବୁଁ ।
କେଅବା ରଖିବ ଅରକ୍ଷ ଗୋପୀଙ୍କି ନିରେଖ ହୋଇ ପ୍ରାଣ ଦେବୁଁ ।
ତୁମ୍ଭ ଗଲାଦିନୁ ଯାହା ହୋଇଲାଣି ତାହା ଜାଣନ୍ତି ନାହିଁ କେହି ।
ତୁମ୍ଭ ବିନୁ ତିନିଲୋକରେ କେ ଅଛି ଜାଣିବାକୁ ନନ୍ଦକହ୍ନାଇ ।