ପୃଷ୍ଠା:Typical selections from Oriya literature.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଇଲି! ଫୁଟି ଡାକୁଥିବେ ବେନିଭାଇ ।
ଫୁଟିଛୁଁ ତୃଷାରେ ଜଳ ଦିଅ ବଇଦେହି । (ଲୋ କୋଇଲି)
କୋଇଲି ! ବୋଲ ଯେବେ ନ ଶୁଣିବେ ମୋର ।
ବୋଲିବେ କେ ଘେନିଗଲା ସୀତାକୁ ଆମ୍ଭର । (ଲୋ କୋଇଲି)
କୋଇଲି ! ଭାଇ ବେନି ବନେ ବୁଲୁଥିବେ ।
ଭଲ‌ଲୋକ ଦେଖିଲେ ବାରତା ପଚାରିବେ । (ଲୋ କୋଇଲି)
କୋଇଲି ! ମଢ଼ିଆ-ଦୁଆରେ ବେନିଭାଇ ।
ମୋତେ ଡ଼ାକୁଥିବେ କାନ୍ତ ମୃଗଭାର ଥୋଇ । (ଲୋ କୋଇଲି)
କୋଇଲି ! ଜୀବ ଯିବାପ୍ରାୟ ହେଉଥିବେ ।
ଯାମକ ଯେ ଲକ୍ଷ‌ଯୁଗ ପରାୟ ମଣିବେ । (ଲୋ କୋଇଲି)
କୋଇଲି! ରାଉଥିବେ ମୋର ନାମ ଧରି ।
ରାତ୍ର ଦିବା ନୟନରୁ ବ‌ହୁଥିବ ବାରି । (ଲୋ କୋଇଲି)
କୋଇଲି ! ଲଙ୍କାର ରାବଣ ଆଣିବାର ।
ଲକ୍ଷ୍ମଣ ସ‌ହିତେ କାନ୍ତେ ନୋହିଲା ଗୋଚର । (ଲୋ କୋଇଲି)
କୋଇଲି ! ଶତ୍ରୁ ରାବଣକୁ ବିନାଶିବେ ।
ଶାଢ଼ୀ ବାନ୍ଧି ବିଭୀଷଣେ ରାଜା କରାଇବେ । (ଲୋ କୋଇଲି)
କୋଇଲି ! ଶ୍ରୀରାମ ଲକ୍ଷ୍ମଣ ବେନି ଭାଇ ।
ଶିଷ୍ଟ ପାଳି ଦୁଷ୍ଟ ନାଶି ଉଶ୍ୱାସନ୍ତି ମ‌ହୀ । (ଲୋ କୋଇଲି)
କୋଇଲି ! ଶୁଭେ ହୋଇ ଲଙ୍କାରେ ପ୍ରବେଶ ।
ସଙ୍ଗେ ନେଇ ମୋତେ ଚଳିଯିବେ ନିଜ ଦେଶ । (ଲୋ କୋଇଲି)
କୋଇଲି ! ହେବେ ମୋତେ ଘେନି ଅଭିଷେକ ।
ହରଷେ ଖଟିବେ ତାଙ୍କୁ ପାତ୍ର ମନ୍ତ୍ରୀ ଲୋକ । (ଲୋ କୋଇଲି)
କୋଇଲି ! କ୍ଷମେ ରାମ ଅଯୋଧ୍ୟା ପ୍ରବେଶ ।
କ୍ଷକ୍ଷନ୍ଦ୍ରେ ଭଣିଲେ ଗୀତେ ବଳରାମ ଦାସ । (ଲୋ କୋଇଲି)

ଜ୍ଞାନ-ଉଦୟ କୋଇଲି

ଲୋକନାଥ

କୋଇଲି ! କାଳିନ୍ଦୀଶିଖରେ ଯାଇ। କମଳ ଫୁଟିଅଛଇ ।
କମଳମଧ୍ୟେ ତ୍ରିବେଣୀ। କରୁଅଛି ହଂସ ଶୂନ୍ୟେ ଭ୍ରମଣି ଲୋ ।
କେ ତହୁଁ ହଂସ-ମହିମା ମୁଖେ। କ୍ରୀଡା କରେ ହଂସ ଅମନ ଶିଖେ ଲୋ ।