ପୃଷ୍ଠା:Typical selections from Oriya literature.pdf/୪୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୯
ଓଡ଼ିଆ ସାହିତ୍ୟ-ପରିଚୟ

କିଙ୍କିଣୀ ମଞ୍ଜୁଳ ରବ ମଧ୍ୟର ନିର୍ଘୋଷ । କ‌ହିବା ଚାତୁରୀ ବରଷଇ ଘନରସ । କାହାର ନୟ‌ନ‌ଚାତକ‌କୁ ନ ରୁଚଇ । କେଉଁ ଗୋପୀ ମନ ମତ୍ତ-କେକୀ ନ ନାଚଇ । କେଉଁ ଦିନ ହେଉଥା‌ନ୍ତି ନଟବରବେଶ । କପାଳେ କସ୍ତୁରୀଚିତା କର୍ଣ୍ଣେ ଅବତଂସ । କଟାକ୍ଷେ ସ୍ତମ୍ଭନ ବଶ ଉଚ୍ଚାଟକୁ ରଖି । କଥାପ୍ରସଙ୍ଗେ ମୋହ‌ନ୍ତି କଳାକରମୁଖୀ । କେଉଁ ଦିନ ସର୍ବାଙ୍ଗଚନ୍ଦନ ପୀତବାସ । କସ୍ତୂରୀ ତିଳକ ଗଜକପାଳେ ପ୍ରକାଶ । କୃକାଟିକା ନିକଟକୁ କମନୀୟ ଜୁଡ଼ା । କେତକୀ ପାଖୁଡ଼ା ବେଢ଼ା ନାରୀଘରବୁଡ଼ା । କେତେବେଳେ ବିହରି ଚନ୍ଦ୍ରମାରଜନୀରେ । କରନ୍ତି ଜଗତ ବଶ ପାରାବତୀ ଦ୍ୱାରେ । କର୍ଣ୍ଣେ ଶୁଣି ଗୋପସୁତେ ହୁଅନ୍ତି ବାହାର । କରଇ ଯେହ୍ନେ ନାଗକୁ ନାଗେଶ୍ୱର ସ୍ୱର । କେଉଁ ଗୋପୀକି ଅନାଇ ପରିହାସ କରି । କୁଚକୁମ୍ଭେ ଜୀବନତ ନେଉଅଛୁ ହରି । କ‌ହଇ କୁରଙ୍ଗଦୃଶା ଯେ ଯାହାର କର୍ମ । କଲେ ସେ ତାହାର ଧର୍ମ ନ କଲେ ଅଧର୍ମ । କାହାକୁ ବୋଲନ୍ତି ତୋର କଟି ଅତିସରୁ । କୁଚ ତୋ ମେରୁପର୍ବତଠାରୁ ଅତିଗୁରୁ । କରିବର ପ୍ରାୟେ ଏଥି ଗମନ ତୁ କରୁ । କେଉଁ ଲୋକ ତୋତେ ଏଥି ବୋଲୁ ଥାଇ ଭୀରୁ । କୁବଳୟଦୃଶା ହସି ବୋଇଲା ହେ ହରି । କେତେବେଳେ ଫଳକି ଲତାକୁ ହୁଏ ଭାରୀ । କରେ ଧଇଲ ପର୍ବତ ନୋହିଲା ସେ ଚିତ୍ର । କ‌ହୁଥାଅ କି କରି କଥା ହେ ପଦ୍ମନେତ୍ର । କୃଷ୍ଣ ହସି ବୋଇଲେ ମୁଁ ପାଇଲି ପାଇଲି । କି କ‌ହିଲି ଅଧିକ ତୋ କୋୟର ହୋଇଲି । କାମିନୀ ବୋଇଲା ମୁହିଁ ତୁମ୍ଭ ଦାସୀ ସିନା । କରିଥିବ କୃପା ମୋତେ ଲୁଛି ଯାଇ କିନା । କୁସୁମଲିଟ କଠିନ କାଠକୁ କାଟଇ । କୋମଳ ଭାବରୁ କରି ଫୁଲ‌କୁ ଖଟଇ ।