କେତେ କହିବି ଏହି ପ୍ରକାରେ ଯେତେ । କୋଟୀବ୍ରହ୍ମାଣ୍ତେ ସମ ନାହାନ୍ତି ତୋତେ ଗୋ । କବି ସେ ସତ ମିଛ କରି କହନ୍ତି । କବିତା ଚାତୁରୀରେ ମନ ମୋହନ୍ତି ଗୋ । କହନ୍ତି ରାଧା ଶୁଣୀ ଶ୍ରୀକୃଷ୍ଣ ବାଣୀ । କୃପାସିନ୍ଧୁ ନାମର ଏଡ଼ିକି ଆଣି ହେ । କିପାଁ ନୋହିଲେ ଦାସବତ୍ସଳବାନା । କରେ ପରଶମଣି ଲୁହାକୁ ସୁନା ହେ । କୁସୁମ ସ୍ପରଶରେ ପଟ ନିସ୍ତରେ । କେଉଁ ବଡ଼ଲୋକର ନ ବସେ ଶିରେ ଯେ । କେଉଁ ମହତଗୁଣ ଅଛି ଭସ୍ମର । କି ନ କରନ୍ତି ତାକୁ ପାର୍ବତୀବର ହେ । କଳାନିଧି ଅମୃତ ଶରୀର ହୋଇ । କଳଙ୍କକୁ କୋଳରେ ସ୍ନେହେ ବସାଇ ଯେ । କରନ୍ତି ନାହିଁ ଆନ ହେଲେ ଲକ୍ଷଣ । କହିନୁହଇ ପ୍ରଭୁମାନଙ୍କ ଗୁଣ ହେ । କେତେ କୁମୁଦ କେତେ ତାରକା ପନ୍ତି । କାଳକେ ଥିଲେ ଚକୋରକୁ ତୋଷନ୍ତି ଯେ । କେଉଁ ଲୋକର ନାହିଁ ମେଘକୁ ଆସ । କିଞ୍ଚିତେ ଚାତକର ଲଭଇ ଯଶ ଯେ । କୃଷ୍ଣ କହନ୍ତି ଆରେ ଚନ୍ଦ୍ରମା ମୁଖି । କାହିଁ କାହାକୁ ଲକ୍ଷୁ ଜୀବନ ସଖିରେ । କଲେ ଅସ୍ତ୍ର ଉପରେ ରତନ ଉଭା । କି ଶୋଭା ନୁହେ ନଟକେଇ କି ପ୍ରଭାରେ । କରି ତୋ ନାମ ଆଗେ ମୋ ନାମ ପଛେ । କହୁ ଅଛନ୍ତି ଯେଉଁ ଲୋକ ପ୍ରତ୍ୟକ୍ଷେ ଗୋ । କଳି କଳୁଷ ଭବ ଭୟକୁ ହରି । କୃତାର୍ଥ ହୋଇ ଯାଉଅଛନ୍ତି ତରି ଗୋ । କହି ଅନେକ ଅନୁରାଗ ବଚନ । କୋଳକରି ସଧୀରେ ଦେଇ ଚୁମ୍ବନ । କଉତୁକେ ସେଠାରୁ କଲେ ଗମନ । କନ୍ଦର୍ପରେ ପ୍ରସନ୍ନ ହୋଇଛି ମନ ଯେ । କନକଲତା ନବ ତମାଳ ସଙ୍ଗେ । କାମମନ୍ତ୍ର ବଳରେ ଚଳଇ ରଙ୍ଗେ ଯେ ।