କାହିଁ ଥିଲା ଅକାଳଚଡ଼କ ମାମୁକୁ ।
କି ହେଉଛି ଏତେବେଳେ ସୁମରି ବୁକୁ ।
କରିଥିଲି ମୋ-ମନରେ କି ମନୋରଥ ।
କୁଶକେତୁବଳେ ସବୁ ହେଲା ବିଅର୍ଥ ।
କି ଅପୂର୍ବ ଆଦର ସେ କରଇ ମୋତେ ।
କେତେରୂପେ କେତେ ଚାର ପେଷେ ଗୁପତେ ।
କାଳଯାକ ଚିନ୍ତଇ ମୋ ଅପୂର୍ବ ଶୁଭ ।
କିଛି ନ ପାଇଲା ମୋହଠାରୁ ସେ ଲାଭ ।
କର୍ମରେ ତାହାର ନାହିଁ ନାହିଁ ମୋ ଯଶ ।
କହି ଏମନ୍ତ ମାଇଁକି କଲେ ସନ୍ତୋଷ ।
କପଟକୁଶଳ କୃଷ୍ଣ ସେଠାରୁ ଚଳି ।
କଟାଇଲେ ଜନକ ଜନନୀ-ଶାଙ୍କୋଳୀ ।
କରାଇ ପରମାନନ୍ଦ ଆନନ୍ଦକନ୍ଦ ।
କହିଲେ ନନ୍ଦକୁ ବୋଧ କରି ଗୋବିନ୍ଦ ।
କହିବ ମାତାଙ୍କୁ ମୋର ଦଣ୍ତପ୍ରଣାମ ।
କରୁଥିବେ ଏକା ଚିନ୍ତା ମୋହର ନାମ ।
କିଛିଦିନ ରହି ପଛହୋଇ ମୁଁ ଯିବି ।
କାଳଦମନକୁ କାଳମୁଖରେ ଦେବି ।
କୋଳକରି ସୁଦାମ, ସୁବଳ ସଖାଙ୍କୁ ।
କୋମଳେ କହିଲେ ତୁମ୍ଭେ ଯାଅ ଗୋପକୁ ।
କରୁଥିବ ଯତ୍ନ ମୋର କଦମ୍ବକୂଳ ।
କ୍ରୀଡ଼ାକୁଞ୍ଜନିକେତନ ଯେତେକ ସ୍ଥଳ ।
କମଳୀ, ଧବଳୀ, ହଂସୀ, ବଂଶୀପ୍ରିୟାକୁ ।
କରିବ ନାହିଁଟି ଅଯତନ ଏହାଙ୍କୁ ।
କ୍ରୋଧେ କେଉଁ ସଖା ବୋଲେ ହେ ପଦ୍ମଡ଼ୋଳା ।
କାଟି ଦେଲ ଏକାବେଳେ ସବୁରି ଗଳା ।
କେଉଁବଳେ ପ୍ରାଣ ଅଛି ନ ଜାଣୁଁ ତାହା ।
କୁଶକେତୁ ହଟ ଅବା କରିଛି ଏହା ।
କେଶବ ବୋଇଲେ ଚିନ୍ତା କିଛି ନ କର ।
କେବେହେଁ ତୁମ୍ଭଙ୍କୁ ନ କରିବି ଅନ୍ତର ।
କରି ରାଜଧାନୀ ସ୍ଥୟ ଯିବି ଅବଶ୍ୟ ।
କୃଷ୍ଣ-ବୋଲେ ବୋଧ ହେଲେ ବରଜବଂଶ ।
କଷ୍ଟ କଷ୍ଟ ହୋଇ ଗୋପପୁରକୁ ଗଲେ ।
କଂସତମହଂସ ମଧୁପୁରେ ରହିଲେ ।
ପୃଷ୍ଠା:Typical selections from Oriya literature.pdf/୪୬୭
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୯
ଓଡ଼ିଆ ସାହିତ୍ୟ-ପରିଚୟ