ପୃଷ୍ଠା:Typical selections from Oriya literature.pdf/୪୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୭
ଓଡ଼ିଆ ସାହିତ୍ୟ-ପରିଚୟ

ତ୍ରିଗୁଣ ତ୍ରିବେଦ ତ୍ରିପୁର । ଅନିଚ୍ଛା ଶକ୍ତି ଏ ତୋହର ।
ତୋର ଅନିଚ୍ଛା ଶକ୍ତି କର୍ମ । କର୍ମେ ବ୍ରହ୍ମାଦି ଦେବେ ଭ୍ରମ ।
କର୍ମେ ଅଧୀନ ଏ ଜଗତ । କର୍ମର ପଥେ ଆତ‌ଯାତ ।
ଉତ୍ପତ୍ତି ସ୍ଥିତି ପୁଷ୍ଟି କ୍ଷୟ । ଏ ଚାରି କଥା କର୍ମ୍ମମୟ ।
କାୟ ବଚନ ମନେ ଧରି । ଏ ଚାରି ପଥେ କର୍ମ୍ମ କରି ।
ଏ ତିନି ପଥେ ଅଗୋଚର । ଏଣୁ ତୁ କର୍ମରୁ ବାହାର ।
କର୍ମ ନ ପାରେ ତୋତେ ଛୁଇଁ । ଜଳେ ନ ତିନ୍ତେ ଯେହ୍ନେ ଛାଇ ।
କର୍ମ କେବଳ ତୋର ମାୟା । ଦେହୁଁ ଜନ୍ମଇ ଯେହ୍ନେ ଛାୟା ।
ଦେହର ତ‌ହିଁ ଶ୍ରମ ନାହିଁ । ଏରୂପେ ସୃଷ୍ଟି ତୋର ତ‌ହିଁ ।
ନିଶ୍ୱାସ ଆତଘାତ ପ୍ରାୟେ । ଅକ୍ଳେଶେ ଉତ୍ପତ୍ତି ପ୍ରଳୟେ ।
ହୁଅଇ ଅଶେଷ ସଂସାର । ଏମନ୍ତ ମହିମା ତୋହର ।
ତୋର ତୁଳଣା ଅଟୁତୁହି । ଆନ ଉପମା ତୋର ନାହିଁ ।
କର୍ପୂର କସ୍ତୁରୀ ଚନ୍ଦନ । ବିବିଧ ଫଳ ଫୁଲମାନ ।
ତାହାଙ୍କ ମଧ୍ୟେ ଥାଇ ବାସ । ଅଦୃଷ୍ଟି ପ୍ରତ୍ୟକ୍ଷେ ପ୍ରକାଶ ।
ବାସନା ଅବଲମ୍ବେ ଥାଇ । ପବନ ସଙ୍ଗତେ ଚଳଇ ।
ଏଣୁ ଏ ବାସନା ବିଚାର । ତୋତେ ନୁହଇ ପଟାନ୍ତର ।
ରବି ଶଶାଙ୍କ ଅଗ୍ନି ମଣି । ତାର ଜଡ଼ିତ ଜ୍ୟୋତିମଣି ।
ଜ୍ୟୋତି ଏ ଅବଲମ୍ବେ ଥାନ୍ତି । ଉଦୟ ଅସ୍ତ ସେ ହୁଅନ୍ତି ।
ଏଣୁ ଏ ଜ୍ୟୋତିର ବିଚାର । ନୁହଇ ଉପମା ତୋହର ।
ଜୀବ ପରମ ବେନି ଅଂଶ । ଏ ବଦ୍ଧ ମୁକ୍ତିରେ ପ୍ରବେଶ ।
ତୋହର ବଦ୍ଧ ମୁକ୍ତି ନାହିଁ । ଚଳ ପ୍ରଚଳ ଅବା କାହିଁ ।
ଏଣୁ ଏ ଆତ୍ମାର ବିଚାର । ତୋତେ ନୁହଇ ପଟାନ୍ତର ।
ମତ୍ସ୍ୟାଦି ଅବତାର ମାନ । ଏଥିରୁ ଭିନ୍ନ ଭଗବାନ ।
ରାଉତ ଯେହ୍ନେ ରଣେ ଯାଇ । ଶରୀରେ କବଚ ତାଙ୍କଇ ।
ସଂଗ୍ରାମେ ଶତ୍ରୁ କ୍ଷୟ କରି । କବଚ ବେଗେ ପରିହରି ।
କବଚ ନୋହେ ତା ଶରୀର । ଏରୂପେ ତୋର ଅବତାର ।
ଅନାଦି ଅନନ୍ତ ଅପାର । ଶୂନ୍ୟ ଅବ୍ୟୟ ନିରାକାର ।
ତା ରୂପ ଅରେଖ ଅଟଇ । ଶୂନ୍ୟକୁ କାଳ ନ ଘୋଟଇ ।
ଶୂନ୍ୟର ଅସ୍ତି ନାସ୍ତି କ‌ହି । ଏଣୁ ତୋ ତୁଳଣା ନୁହଇ ।
ନାସ୍ତିରେ ତୋର ଅସ୍ତି ଅଛି । ନାସ୍ତିକ ତୋର ତୁଲେ ଗଛି ।
ଏଣୁ ଏ ଶୂନ୍ୟର ବିଚାର । ନୁହଇ ସମାନ ତୋହର ।
ସଚ୍ଚିଦାନନ୍ଦ ଭାବ ତିନି । ଦେହ ଆତ୍ମାରେ ଅନୁମାନି ।
ଯେଠାରେ ଦେହ ଆତ୍ମା ନାହିଁ । ସଚ୍ଚିଦାନନ୍ଦ ଭାବଗ୍ରାହୀ ।
ଏଣୁ ସଚ୍ଚିଦାନନ୍ଦ ଭାବ । ଏଥୁ ତୁ ଅନେକ ଦୁର୍ଲ୍ଲଭ ।