ପୃଷ୍ଠା:Typical selections from Oriya literature.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୩
ଓଡ଼ିଆ ସାହିତ୍ୟ-ପରିଚୟ

ମୋର ମନ୍ଦିରେ ପଶିଲେ ମାଧୋଇ ।
ଘରେ ଦେଖିଲେ ନାହିଁ ଦୁଧ ଦହି ।
ଶିକା ଉପରେ ନଉତି ଦେଖିଲେ ।
ହସ୍ତ ନ ପାଇଲାକୁ ବୁଦ୍ଧି କଲେ ।
ପିଢ଼ା ଉପରେ ପିଢ଼ାମାନ ଥୋଇ ।
ତଥି ଉପରେ ଉଠିଲେ ମାଧୋଇ ।
ଯଷ୍ଟି ଘେନି ଫୋଡିଲେ ଦଧିଭାଣ୍ଡ ।
ଜଳା ସଳଖେ ପାତିଛନ୍ତି ତୁଣ୍ଡ ।
ମୁଁ ଗୋ ଏମନ୍ତ ସମୟେ ଅଇଲି ।
ନୀରଭାଣ୍ଡ ତଳେ ଥୋଇ ଚାହିଁଲି ।
ଦୁଧ ପିଉଛି ହାଣ୍ଡି କଣାକରି ।
ଯାଇଁ ବସିଲି ଦୁଆର ଆବୋରି ।
ଆଜ ଜାଣିବି ଯିବୁ କେଉଁ କତି ।
ମିଛପ୍ରାୟ ମଣେ ନନ୍ଦ-ଯୁବତୀ ।
ନିତିପରା ମୋଘରୁ ସର୍ବ ଖାଉ ।
ଆଜ ଜାଣିବା ତୋତେ କେହୁ ନେଉ ।
ମୋତେ ତରକି ବାଙ୍କେ ଅନାଇଲା ।
ଦୁଧଗଣ୍ଡଷ ଲୋଚନେ ମାଇଲା ।
ବେନି ହସ୍ତେ ବୁଜିଲା ବେନି ଡୋଳା ।
ପେଲି ପକାଇ ଗଲା ନନ୍ଦବଳା ।
ଏକ ଗୋପିଏ ବୋଇଲା ମିତଣି ।
ସେ ଗୋ ବଡ ମାୟାବୀ ଚକ୍ରପାଣି ।
ଦିନେ ଗୋଗୋଷ୍ଠେ ରହିଲା ଗୁଆଳ ।
ଚୋରରୂପ ଦଇଲା ନନ୍ଦବାଳ ।
ନିଶାକାଳେ ମୋ ପୁରକୁ ଅଇଲା ।
ଦହି ଦୁଧ ସର ସବୁ ଖାଇଲା ।
ଶାଶୁ ପଣତ ଧରି ଓଟାରଇ ।
ବୋହୁ ଚୋରି ବୋଲି ଡକାପାରଇ ।
ଦୀପ ବହନକରିଣ ଧର ଗୋ ।
ଆମ୍ଭ ଘରେ ପଶିଅଛି ଚୋର ଗୋ ।
ଦୀପ ଲଗାଇ କୃଷ୍ଣଙ୍କୁ ଧଇଳୁଁ ।
ବାନ୍ଧି ଯଶୋଦା ଆଗରେ କହିଲୁଁ ।
ବେଗେ ଘରୁ ଆସ ଗୋ ନନ୍ଦରାଣୀ ।
ଯାଇ ଦେଖ ତୋ ପୁଅର ବାନ୍ଧେଣି ।