ପୃଷ୍ଠା:Typical selections from Oriya literature.pdf/୫୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୬୪
ଓଡ଼ିଆ ସାହିତ୍ୟ-ପରିଚୟ

ଦ୍ୱାଦଶ ଛାନ୍ଦ
ରାଗ - କଲ୍ୟାଣ
ଅଯୋଧ୍ୟାରେ ଭ୍ରତ ହୋଇଲେ ପ୍ରବେଶ । ଦେଖିଲେ ସବୁରି ମୁଖ ବିରସ ।
ଅନ୍ତଃପୁରେ ମାତା ଚରଣେ ପଡ଼ି । ପଚାରୁଛନ୍ତି ବେନି କର‌ଯୋଡ଼ି ।
ଗୋ ଜନନୀ, ଆମ୍ଭ ପିଅର କାହିଁ । ଜ୍ୟେଷ୍ଠ କନିଷ୍ଠକୁ ଦେଖୁତ ନାହିଁ ।
ଅଯୋଧ୍ୟାପୁର ଦିଶେ ନାରଖାର । ମଙ୍ଗଳ ଦିଶୁନାହିଁ ଆମ୍ଭପୁର ।
ପଥେ ଦେଖିଲି ଅଶଙ୍କୁନମାନ । କି ଅବା ନାଶଗଲା ଆମ୍ଭ-ପୁଣ୍ୟ ।
ଗୋ ଜନନୀ ଇତ୍ୟାଦି ।
ଶୁଣି ଜନନୀ କ‌ହ‌ନ୍ତି ବଚନ । ରାମଙ୍କୁ ରାଜା କରାନ୍ତେ ରାଜନ ।
ନୃପତିଙ୍କି ମୁଁ ସ‌ତ୍ୟ କରାଇଲି । ରାମ ଲକ୍ଷ୍ମଣ ବନ‌‌କୁ ପେଶିଲି ।
ରେ କୁମର, ଏବେ ହୁଅ ନୃପ‌ତି । ତୁ ମୋର ଭୋଗ କର ଏ ବିଭୂତି ।
ରାମଙ୍କୁ ନ ଦେଖି ତୁମ୍ଭ ପିଅର । ଦେହ ଛାଡ଼ିଣ ଗଲେ ସ୍ୱର୍ଗପୁର ।
ମୃତ୍ୟୁ ଶବ ଏବେ ଅଛନ୍ତି ରଖି । ଦ‌ହ‌ନ ନ କଲେ ତୋତେ ନ ଦେଖି ।
ରେ କୁମର ଇତ୍ୟାଦି ।
ଶୁଣିଣ ମୂର୍ଚ୍ଛା ଗଲେ ଭ୍ରୃତବୀର । ମାତାଙ୍କୁ କଲେ ବ‌ହୁତ ଧିକ୍କାର ।
ମନ୍ଥରା କେଶ ଶତ୍ରୁଘନ ଧରି । ବନ୍ଧନ କଲେ ଅବଧ୍ୟ ବିଚାରି ।
ଛାଡ଼ିଣ ଦେଲେ ରାମ‌ଙ୍କ ଡ଼ରିଣ । କୈକେୟୀରେ ସେ ପଶିଲା ଶରଣ ।
ଶବ ଦ‌ହିଣ କଲେ ପ୍ରେତ କର୍ମ । ବୋଲେ ବିଶି ରାଜାଙ୍କର ଯେ ଧର୍ମ ।

ଚତୁଃର୍ଦ୍ଦଶ ଛାନ୍ଦ
ରାଗ - କୌଶିକ ପଡ଼ିତାଳ
ଇକ୍ଷ୍ୱାକୁ କୁଳ ସିନ୍ଧୁ ଚନ୍ଦ୍ରମା ହେ ମୋର ଜନନୀ ଏହା ଅର୍ଜିଲେ ।
ତୁମ୍ଭଙ୍କୁ ନ ଦେଖି ପିଅର ହେ ରାମ ବୋଲିଣ ପ୍ରାଣ ତେଜିଲେ ।
ଦୁଷ୍ଟ ପାମରୀ ମନ୍ଦଭାଗୀ ହେ କ୍ଷମାଶୀଳ ଦୋଷ କର କ୍ଷମା ।
ଅଯୋଧ୍ୟାପୁରେ ଅଭିଷେକ ହୁଅ ହେ ଘେନିଣ ଜନ‌କଜେମା ।
ଭରତ ଶତ୍ରୁଘ୍ନ ଏମନ୍ତ ଯେ କ‌ହି ଚରଣ ତଳ ପଡ଼ିଲେ ।
ଉଠ ଉଠ ବୋଲି ଶ୍ରୀକରେ ଯେ ବେନି ଭାଇଙ୍କି ତୋଳି ଧଇଲେ ।
ପିତାମୃତ୍ୟୁ ରାମ ଲକ୍ଷ୍ମଣ ସୀତା ଯେ ଶୁଣିଣ ବିଳାପ କଲେ ।
ମଦାଗ୍ନୀ ଜଳେ ସ୍ନାନ କରି ସେ ଇଙ୍ଗୁଦୀଫଳ ପିଣ୍ତାନ୍ନ ଦେଲେ ।
ବଶିଷ୍ଠ ଆଦି ସକଳଙ୍କର ବଚନରେ ନୋହିଲେ ପ୍ରସନ୍ନ ।
ଯେ ଯେତେରୂପେ ମଣାଇଲେ ହେଁ ରାମ ନୋହିଲେ ସଦୟ ମନ ।
ଭରତଙ୍କୁ ରାଜନୀତି କ‌ହି ସେ ପାଦୁକା ଦେଇ କଲେକ ତୋଷ ।
ବୋଲେ ବିଶିଭ୍ରତ ନନ୍ଦିଗ୍ରାମେ ଯେ ସୈନ୍ୟ ଘେନି ହେଲେ ପ୍ରବେଶ ।