ସମୁଦ୍ର ଡ଼େଇଁ ଅଇଲି, ଲଙ୍କାଗଡ଼ରେ ପଶିଲି,
ତୁମ୍ଭ ଶ୍ରୀଚରଣ ଦର୍ଶନ ନ ପାଇ ପ୍ରାଣ ମୁଁ ହରାଉଥିଲି ।
ଭଲା ଦେଖିଲି ।
ରାମ ମାଲ୍ୱବନ୍ତ ଗିରି, ଶିଖେ ଛନ୍ତି ବିଜେ କରି,
ସୁଗ୍ରୀବ ସହିତେ ଅନେକ ମର୍କଟ ବନ ଗିରି ଛନ୍ତି ପୂରି ।
ସେ ଋକ୍ଷ ହରି ।
ଆସ କନ୍ଧେ ମୋର ବସ, ଘେନି ଯିବି ରାମପାଶ,
ରାବଣ ସହିତେ ମାରନ୍ତି ପ୍ରଭୁଙ୍କ ପ୍ରତିଜ୍ଞା ହୋଇବ ନାଶ ।
ଦେଖ ସାହସ ।
ଶୁଣିଣ ଦେବୀ ହରଷ, ହନୂକୁ ବସାଇ ପାଶ,
ବୋଲଇ ବିଶି ବିଶ୍ୱାସ କଥା ଶୁଣି ସଂଶୟ ହେଲା ବିନାଶ ।
ଏ ରାମରସ ।
ନବମ ଛାନ୍ଦ
'ରାଗ-ଅହାରୀ-ଅଦ୍ୟମାଗୁଶୀର ବାଣୀ
କହ ହନୂ ମୋର କାନ୍ତର କୁଶଳ ଲକ୍ଷ୍ମଣର ସର୍ବ କୁଶଳ ।
ମରକତ ହେମ ବେନି କଳେବର ହୋଇ ନାହାନ୍ତି ନା ଦୁର୍ବଳ ।
ହନୂ ହେ, ବେନି ଭାଇଙ୍କର କୁଶଳ ।
କୁଶଳ କରି ଲକ୍ଷ୍ମଣ ସେବା କରିଥାନ୍ତିଟିକି ପାଦକମଳ ।
ମୋର ବିଚ୍ଛେଦ ହୋଇଲା ଦିନୁ ତନୁ ଦୁର୍ବଳ ହୋଇଥିବ ପରା ।
ଅଧୈଯ୍ୟ ହୋଇଲେ ଲକ୍ଷ୍ମଣ ତାହାଙ୍କୁ କରାଉଥାନ୍ତିଟିକି ଧୀରା ।
ହନୂ ହେ, ମୋତେ ଏଥୁଁ ନିଶ୍ଚେଁ ନେବେ କି ।
ବାନରବଳ ଘେନି ସିନ୍ଧୁ ପାରି କି ହୋଇ ଏଥକୁ ଆସିବେ କି ।
ବୋଲଇ ଯେ ହନୂ କନ୍ଧରେ ବସାଇଁ ଶ୍ରୀରାମ ପାଶେ ଘେନିଯିବି
ସ୍ୱଇଚ୍ଛାରେ ମୁହିଁ କେମନ୍ତ ପ୍ରକାରେ ପୁରୁଷ ଅଙ୍ଗକୁ ଛୁଇଁବି ।
ହନୂ ହେ, ଚୋରାଇ ରାବଣ ଆଣିଲା ।
ତୁମ୍ଭେ ଚୋରାଇ ଘେନିଗଲେ ପ୍ରଭୁଙ୍କ ଯଶ ଆଉ କାହିଁ ରହିଲା ।
ବିଶ୍ରବାନନ୍ଦନ ଆସିଣ ଏଠାକୁ କଣ୍ଟ ଯେ ବେନିମାସ କଲା ।
ବେନିମାସେ ମୋତେ ରାମ ଲକ୍ଷ୍ମଣ ଦେଖାଇବୁ ବୋଲି ବୋଇଲା ।
ହନୂ ହେ, ଏକମାସ ଥିବ ପ୍ରାଣ ହେ ।
ପ୍ରାଣ ଥାଉଁ ଥାଉଁ ଶ୍ରୀରାମ ଲକ୍ଷ୍ମଣ ଶୀଘ୍ରକରି ତୁମ୍ଭେ ଆଣ ହେ ।
କିପାଁ ହନୂ ମୋରପାଇଁ ରାମ ଦେଲେ କଉପଲ୍ଲବରୁ ମୁଦ୍ରିକା ।
ଶୂନ୍ୟ ଯେ ଦିଶୁଥିବ ମୋ ପ୍ରଭୁଙ୍କର କରକମଳ ଅନାମିକା ।