ଦ୍ୱାବିଂଶ ଛାନ୍ଦ
ରାଗ - ଚିନ୍ତାଭୈରବ ଗୋପବିଳାପ ବୃତ୍ତ
ଆହା ଧନୁର୍ଦ୍ଧର ବୀରବର । ଧନୁଶର ନ ଥିଲା କି କର ।
ଯାହାର ବାବ ବ୍ରହ୍ମାଣ୍ତ ଦହିପାରେ, ତାଙ୍କୁ ମାଇଲା ପ୍ରଶସ୍ତ ଛାର ହେ ।
ଦଇବ।
ଆଣୁ ନ ଥିଲେ ମୋତେ ମୋ ପତି । ଜାଣନ୍ତି ସେ ପଡ଼ିବ ବିପତ୍ତି ।
ମୂର୍ଚ୍ଛି ନ ପାରି ମୁଁ ସଙ୍ଗତେ ଅଇଲି, ତେଣୁ ହୋଇଲା ଏମନ୍ତ ରୀତି ହେ ।
ଦଇବ ।
ଚିରଂଜୀବୀ ଅଟନ୍ତି ଶ୍ରୀରାମ । ମୁନିବଚନ ହେଲା କି ଭ୍ରମ ।
ମୋତେ ବୋଲନ୍ତି ବିଧବା ଯୋଗ ନାହିଁ, ଏବେ କିପାଁ ହେଲା ଏଡ଼େ କର୍ମ ହେ ।
ଦଇବ ।
ଯେଉଁ ଯୁବତୀ ପତି ଆଗରେ । ମରେ ପୁଣ୍ୟବତୀ ବୋଲି ତାରେ ।
ଯୁବତି ଆଗେ ପତି ଯେବେ ମରଇ, ତାକୁ ଦୂଷିତ ହୋଏ ସଂସାରେ ହେ ।
ଦଇବ ।
ଯେବେ ଲକ୍ଷ୍ମଣ ଗଲେ ପଳାଇ । ମୋର ଶାଶୁଙ୍କୁ କହିବେ ଯାଇଁ ।
ସୀତା ନେଇ ଦୈତ୍ୟ ରାମଙ୍କୁ ମାଇଲେ, ଏହା ଶୁଣିଲେ ଜୀଇବେ ନାହିଁ ହେ ।
ଦଇବ ।
ତୁମ୍ଭେ ଜାଣତ ସକଳ ରୀତି । କିପାଁ ଜାଗର୍ତ୍ତ ନୋହିଲେ ରାତି ।
ମୁହିଁ ତୁମ୍ଭଙ୍କୁ କାଳରାତ୍ରି ହୋଇଲି, ମୋର ଯୋଗୁଁ ବିନାଶ ମୋ ପତି ହେ ।
ଦଇବ ।
ପୁଣି ଧନୁ ତୂଣୀକି ଅନାଇଁ । ଚିହ୍ନି ବିଳପନ୍ତି ଗୁଣ ଗାଇ ।
ଏହି କାଳରେ ପ୍ରଶସ୍ତ ଦ୍ୱାରେ ରହି, ତାର ଛାମୁକୁ କହି ପଠାଇ ସେ ।
ପ୍ରଶସ୍ତ ।
ଦୂତ ଶ୍ରବଣେ ବେଗେ ଜଣାଇଁ । ଦେବ ପ୍ରଶସ୍ତ ଆସିଛି ଧାଇଁ ।
ଜଣାଇ ପଠିଆଇଛି କପିମାନେ, ଗଡ଼ ପାଚେରୀ ପଡ଼ିଲେ ଡ଼େଇଁ ହେ ।
ଭୋ ଦେବ ।
ଶୁଣି ସତ୍ୱରେ ତହୁଁ ଅଇଲା । ପ୍ରଶସ୍ତକୁ ସବୁ ପଚାରିଲା ।
ରାବଣ ଆସିବା ମାତ୍ରେ ଶର ଧନୁ, ସେହିକ୍ଷଣି ଅଦୃଶ୍ୟ ହୋଇଲା ହେ ।
ସୁଜନେ ।
ଦଶଶିର ବୋଲେ ମାର କପି । ଦୈତ୍ୟମାନଙ୍କୁ ପେଶିଲା କୋପୀ ।
ବୋଲେ ବିଶି ଚଉପାଶରେ ଜଗିଲେ, ରାଜା ଆଜ୍ଞା ପାଇ ଥାଟ ବ୍ୟାପୀ ସେ ।
ଅସୁରେ ।