ଏକାବନ ଛାନ୍ଦ
ରାଗ-ବଙ୍ଗଳାଶ୍ରୀ
ଘେନିଣ ଔଷଧି, କପିକୁଳନିଧି, ଗଗନ ମାର୍ଗରେ ଗମେ । ଦଶଦଣ୍ତ ଲାଗି, ରୁଜୁ ବାଟ ଭାଙ୍ଗି, ମିଳିଲା ଅଯୋଧ୍ୟା ଧାମେ । ନନ୍ଦୀଗ୍ରାମପୁର, ଗମଇ ପ୍ରଖର, ଗଳି ପଡ଼େ ଶ୍ରମଝାଳ । ରଜନୀ ଭ୍ରମଣି, କରି ରଘୁମଣି ସେ କାଳେ କୈକେୟୀ ବାଳ । ଶୁଣିଣ ଶବଦ, ହୋଇଣ ତବଦ ଭରତ ଅନ୍ତରେ ଭାଳୈ । ପକ୍ଷରେ ରହିତ ଯେଉଁ ପରବତ ଆକାଶରେ ସେହି ଚଳେ । ବିଚାରି ଏସନେ, ବାଣ ଶରାସନେ, ବସାଇ ବିନ୍ଧନ୍ତେ ବୀର । ଦେଖି ଶଙ୍କା ପାଇ, ଆକାଶରେ ଥାଇ, ବିଚାରେ ବାୟୁକୁମର । ନିଶ୍ଚେଁ ଏହି ରାମ, ବହି ମନେ ତମ, ମୋହର ବିଳମ୍ବ ଦେଖି । ଲାଗୁଅଛି ଘଟ, ଜଗିଛନ୍ତି ବାଟ କୋଦଣ୍ତରେ କାଣ୍ତ ଯୋଖି । କି ଅବା ଭରତ, ରାମ ସାନ ଭ୍ରାତ, ଦଶରଥ ରାଜା ବେଟା । ରାଘବ-ବିହୀନୁ, କୁଶ କରି ତନୁ, ମୁଣ୍ତେ ବହିଛନ୍ତି ଜଟା । ଏହାଙ୍କୁ ସମ୍ଭାଷି, ଯିବି ମୁହିଁ ଖସି, ନୋହୁ ମୋର ବିଘ୍ନକର । ଏମନ୍ତ ବିଚାରି, ଗଗନୁ ଉତ୍ତରୀ, ମିଳିଲା ଭୂମିରେ ବୀର । ଦେଖିଣ ତ୍ୱରିତ, ଆପଣେ ଭରତ, ପଚାରନ୍ତି ତୁମ୍ଭେ କେହୁ । ଗଗନେ ବିକ୍ରମି, ଯାଉଅଛି ଭ୍ରମି, ପକ୍ଷ ବିନା ମହାବାହୁ । ଶୁଣି ହନୂମାନ, ବୋଲେ ହୋ ସୁମନ, ମୁହିଁ ପବନର ବାଳ । ସେବା କରେ ନିତି, ରାମ ରଘୁପତି, ଚରଣ କମଳ ଢଳ । ଲଙ୍କା ଅଧିକାରୀ, ସୀତା ନେଲା ହରି, ବାଳିକି ଶ୍ରୀରାମ ମାରି । ହୋଇ ସୁଗ୍ରୀ ମେଳ, ବାନ୍ଧି ସିନ୍ଧୁଜଳ, ପ୍ରବେଶ ସୁବଳ ଗିରି । ନାଗପାଶ ବ୍ରହ୍ମଶର, ଆଦି ଦିନୁ ଅନେକ କଲୁଁ ସମର । ରାବଣ ଅନୁଜ, ନାଶିଲେ ତନୁଜ, ଶ୍ରୀରାମ ଲକ୍ଷ୍ମଣ ବୀଋ । ଘେନି ପୁତ୍ର ଶୋକ, ଲଙ୍କାର ନାୟକ, ସକତି ମାଇଲା ସଞ୍ଚେ । ଦେଇ ପଞ୍ଚପ୍ରାଣ, ପଡ଼ିଛି ଲକ୍ଷ୍ମଣ, ନୀରକ୍ଷ ପରାୟେ ମଞ୍ଚେ । ଅଉଷଧି ପାଇଁ, ସେହି ଘେନି ମୁହିଁ ମିଳିଲି ଗନ୍ଧମାଦନ । ହୋଇ ବିଭାଷିତ, କହ କିନା ସତ, ଅଟ ତୁମ୍ଭେ କେଉଁ ଜନ । ଶୁଣି ତା ଭରତ, ବୋଇଲେ ଶୁଣତ, ମୁହିଁ ରାମଚନ୍ଦ୍ର ଭାଇ । ଦଶରଥସୁତ, ଜଗତେ ବିଦିତ, କୈକେୟୀ ମୋହର ଆଈ । ସଂସାରେ ଥାଇ କି, ଏ କଷ୍ଟ ଭାଇକି, ବିହିଲା ମୋର ଦଇବ । ଦେହେ ପଞ୍ଚପ୍ରାଣ, ଥିଲେ କେହି ପୁଣ, ଏ ଦୁଃଖ ସହି ରହିବ । କପିସୁଧାନିଧି, ନିଅ ଅଉଷଧି, ଜୀଉ ମୋହର ସାନୁଜ । ରାବଣକୁ ମାରି, ବେଗେ ଚାପଧାରୀ, ଆସିଣ କରନ୍ତୁ ରାଜ୍ୟ ।