ଶୁଣି ଏ ଉତ୍ତର, ମରୁତକୁମର, ଦକ୍ଷିଣ ମୂରତି ହୋଇ । ମହାରଣରଙ୍କା, ପ୍ରବେଶ ସେ ଲଙ୍କା, ପାଖରେ ନିଃଶଙ୍କା ହୋଇ । ଜାଣି ରଘୁଶିଷ, ହୋଇଣ ସନ୍ତୋଷ, ବୋଇଲେ ଅଇଲୁ ବାବୁ । ଯୂଥପତିବୃନ୍ଦ, ଲଭିଣ ଆନନ୍ଦ, ବୋଇଲେ କଲୁ ତୁ ସବୁ । ଶୁଣି ଭଣେ ହନୂ, ଏମନ୍ତ ବଚନ, ଦୋଷ କରିଛି ଏତେକ । ଔଷଧି ନ ଚିହ୍ନି, ଗିରିମୂରଧନୀ, ଆଣିଲି ମୋର ମସ୍ତକ । ଶୁଣି ସୁଖ ପାଇ, ପର୍ବତ ଓହ୍ଲାଇ, ରଖିଲେ ବାନରଗଣ । ଧନ୍ୱନ୍ତରିଙ୍କର, ଖୋଜିଲେ କୁମର, ଔଷଧି ତହିଁ ସୁଷେଣ । ଅଉଷଧି ଚିହ୍ନି, ପତ୍ର ତହୁଁ ଆଣି, ଶିଳାରେ ଛେଚିଲେ ନେଇ । ଆଣିଣ ଅନିଳ, କ୍ଷୀରସିନ୍ଧୁ ଜଳ, ଗୁଡ଼ାଏ ତହିଁ ମିଶାଇ । ଘେନିଣ ବଇଦ୍ୟ, ଲକ୍ଷ୍ମଣ ସନ୍ନିଧ, ବେନି ନାସାପୁଡ଼ା ତୋଳି । ଦେଲେ ଦିବ୍ୟ ନାସ, ଝଡ଼ିଲା ସେ ପ୍ରାସ, ମୁଦି ଦେଲା ହୃଦସ୍ଥଳୀ । ଭାଇ କୋଳୁଁ ଉଠି, କର ଦୁଇ ଗୋଟି, ଯୋଡ଼ି କଲେ ନମସ୍କାର । ଦେଖି ଜୟ ଜୟ, କରନ୍ତି କପିୟେ, ଆନନ୍ଦେ ଉଠିଲେ ବୀଋ । ଏ ଅନ୍ତେ ତକ୍ଷଣେ, ଆଜ୍ଞା ପରମାଣେ ହନୂମନ୍ତ ନେଲା ଗିରି । ଶୂନ୍ୟେ ଦୈତ୍ୟ ମାରି, ଗିରି ରଖିକରି ଆସି ହେଲା ଲଙ୍କାପୁରୀ । ଭଣେ ଦୀନବିଶି, ଏହି ରସେ ରସି, ଦିନ ରାତି ମୋର ଯାଉ । ରାବଣ ଅରାତି, ଚରଣେ ପୀରତି, ପ୍ରତିକ୍ଷଣେ ମୋର ଥାଉ ।
ଛପନ ଛାନ୍ଦ
ରାଗ-ଭୈରବ ସରିମାନ
ରାବଣ ସଂହାରି ବୀର ଦାଶରଥି ରଥୁଁ ଓହ୍ଲାଇ ଭୂମିରେ ଉଭା ହେଲେ । ମହା ତୁଷ୍ଟ ହୋଇ ସୁଗ୍ରୀବକୁ ରାଇ ବେନିଭୁଜେ ତାଙ୍କୁ ଆଲିଙ୍ଗନ କଲେ । କି ସଖେ ହେ, ପଡ଼ିଅଛି ଦଶଶିର । ତୁମ୍ଭ ସାହ ପାଇ ସିନ୍ଧୁ ପାର ହୋଇ ରାବଣ ମାଇଲୁଁ ଏ ଯଶ ତୁମ୍ଭର । ରାମ ସ୍ନେହ ଦେଖିଣ ଲକ୍ଷ୍ମଣ ବୀର ସୁଗ୍ରୀ ପାଦ ଛୁଇଁ ଶିରେ ଦେଲେ କର । ସୁଗ୍ରୀବ ସକଳ କପିସେନା ଘେନି ପୂଜା କଲେ ରାମ ବେନି ଶ୍ରୀପୟର । ରାବଣ ମରିବା ଯାଏ ଉତପାତମାନେ ଅବିଚ୍ଛନେ ଜାତ ହେଉଥିଲେ । ମଲା ବେଳରୁ ଯେ ଯାହା ସଦଭାବେ ରହି ଭୟ ତେଜି ନିଶ୍ଚିନ୍ତେ ରହିଲେ । ମାତଳୀକି ଆଜ୍ଞା ଦେଲେ ରଘୁବୀର ଶତ୍ର ସନ୍ନିଧିକୁ ନିଅ ରହୁବର । ଆମ୍ଭେ ତୁମ୍ଭଙ୍କୁ କି ଦେଇଣ ସୁଝିବୁଁ କଲ ବହୁତ ଆମ୍ଭଙ୍କୁ ଉପକାର । ଆଜ୍ଞା ପାଇଣ ମାତଳୀ ରହୁବର ଶୀଘ୍ର କରିଣ ଘେନି ଗଲା ସୁରପୁର । ବୋଲେ ବିଶି ରାମ ଥାଟ କପି ନାଟ ହୃଷ୍ଟ ହୋଇଣ କରନ୍ତି ବନଚର ।