ସର୍ବେ ହୋଇଲେ ଆକୁଳ ମନ । କହିବାକୁ କେ ନାହିଁ ଭାଜନ । ବୋଲେ ବିଶି ରାମ ଅନୁକୂଳ ଚାହିଁ ନେତ୍ର କଲେ ଥନ ଥନ ସେ । ରାମ ।
ଉତ୍ତରାକାଣ୍ତ
ଷୋଡ଼ଶ ଛାନ୍ଦ
ରାଗ-ଆଷାଢଶୁକ୍ଳ ବାଣୀ
ରାଘବଅଙ୍କେ ବସିଣ ସୁନ୍ଦରୀ । କାନ୍ତକୁ କହନ୍ତି ଯେ ସ୍ନେହ କରି । ତପୋବନ ଦେଖିବାକୁ ମୋ ମନ । ଋଷିପତ୍ନୀଙ୍କି କରିବି ଦର୍ଶନ । ଫଳ ମୂଳ ଦେବି । ବସନ ଭୂଷଣ ଦେଇ ଆସିବି । ଶୁଣି ରାଘବ ହୋଇ ହସ ହସ । ଆଜ୍ଞାଦେଲେ ଯିବ ତାଙ୍କର ପାଶ । ଋଷିମାନଙ୍କ ମଠ ଦେଖାଇବା । ତୁମ୍ଭର ମନୋରଥ ପୂରାଇବା । ତୋଷିବାକୁ ମନ । ବାହାର ମଣ୍ତପେ କଲେ ଆସ୍ଥାନ । ଦିବ୍ୟ ମଣ୍ତପ ରତ୍ନବେଦୀ ପର । ତହିଁ ବିଜୟ କଲେ ରଘୁବୀର । ଏହିକାଳରେ ବୟସିକମାନେ । ପ୍ରବେଶ ହେଲେ ରାମ ସନ୍ନିଧାନେ । ସେମାନଙ୍କୁ ଦେଖି । ତାଙ୍କୁ ରଖି ପରିଜନ ଉପେକ୍ଷି । ଶ୍ରୀରାମ ତାଙ୍କୁ ପରିହାସ କଲେ । ଶୁଣି ସେମାନେ ପ୍ରତିଭାଷ ଦେଲେ । ଉପୁଜିଲା ତହୁଁ ବହୁତ ହାସ । ଜାଣନ୍ତି ସେମାନେ କଥାର ରସ । ସେମାନଙ୍କ ସଙ୍ଗେ । କଉତୁକ କଥା କହନ୍ତି ରଙ୍ଗେ । ରାମ ବୋଲନ୍ତି ଶୁଣ ଦ୍ୱିଜମାନେ । ଆମ୍ଭଙ୍କୁ କି ବୋଲନ୍ତି ପୁରଜନେ । ନିନ୍ଦା ସ୍ତୁତି ଆମ୍ଭ ଛାମୁରେ କହି । ଯଥାର୍ଥ କଥାରେ ଭୟ ନ ପାଅ । ଶୁଣିଲେ ଅକୀର୍ତ୍ତି । ଅକୀର୍ତ୍ତିରେ ନ ବଳାଇବା ମତି । ବୋଲନ୍ତି ହେ ଦେବ ତୁମ୍ଭ ଅକୀର୍ତ୍ତି । ଚନ୍ଦ୍ରକର ପ୍ରାୟେ ମଣ୍ତିଲା କ୍ଷିତି । ତ୍ରୟଭୁବନ ସନ୍ତାପ ଖଣ୍ତିଲ । ଜାଙ୍କୀ ଛଳେ ରାବଣ ଦଣ୍ତିଲ । ସିନ୍ଧୁ ବନ୍ଧାଇଲ । ଅଲୋକିତ କର୍ମମାନତ କଲ । ପର୍ଶୁରାମଙ୍କୁ ଦେବ କଲ ଜୟ । ସେଦିନୁ ଦୁଷ୍ଟ ହୋଇଲେ ସଭୟ । ଯେଉଁ ଲଙ୍କାଗଡ଼ ଦେବେ ଅଜୟ । ବାନରଙ୍କୁ ଘେନି କଲ ତା ଜୟ । କି ବୋଲିବେ ଜନେ । ପ୍ରଶଂସା କରନ୍ତି ତ୍ରୟଭୁବନେ । ପୁଣି ବୋଲନ୍ତି ଶ୍ରୀରାମ ରାଜନ । ତୁମ୍ଭେମାନେ ଭୟ ନ କର ମନ । ତଥାପି ଆମ୍ଭର କି ଅବିଗୁଣ । କାହା ମୁଖରୁ କାହିଁ ଅବା ଶୁଣ । ଶୁଣି ନିବର୍ତ୍ତିବା । ଧର୍ମକଥାରେ ସିନା ପ୍ରବର୍ତ୍ତିବା । ଭଦ୍ରମୁଖ ନାମେ ଏକ ବ୍ରାହ୍ମଣ । କର ଯୋଡ଼ିଣ ବୋଲେ ଦେବ ଶୁଣ । ସବୁରି ମୁଖରେ ତୁମ୍ଭର କୀର୍ତ୍ତି । ଏକା କଥାଏ ମାତ୍ର ଅପକୀର୍ତ୍ତି । ଶୁଣଇଁ ମୁଁ ଯାହା । ବଚନେ ଦେବ କହି ନୋହେ ତାହା ।