ପୃଷ୍ଠା:Typical selections from Oriya literature.pdf/୫୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୯୦
ଓଡ଼ିଆ ସାହିତ୍ୟ-ପରିଚୟ

ଦେଖିଲେ ନୃପତି ମୁଖ ଦିଶେ ବିରସ । ଯେହ୍ନେ ପୂର୍ଣ୍ଣଚନ୍ଦ୍ର ଦିଶେ ରଜନୀଶେଷ । ଲକ୍ଷ୍ମଣଙ୍କୁ ଚାହିଁ ଆଜ୍ଞା ଦେଲେ ରାଜନ । ତୁମ୍ଭେ ସିନା ଜାଣ ଲଙ୍କା ବୃତାନ୍ତମାନ । ଯେଉଁରୂପେ ସୀତା ଅଗ୍ନି ପରିକ୍ଷା ଦେଲେ । ଯେଉଁରୂପେ ଆସି ପିତାମହ କ‌ହିଲେ । ଦେଖିଲତ ତାତ ଶତ୍ର ସଙ୍ଗତେ ଆସି । ବୋଇଲେ ଅଟନ୍ତି ବାବୁ ସୀତା ନିର୍ଦ୍ଦୋଷୀ । ତେଣୁକରି ଆମ୍ଭେ ତାଙ୍କୁ ଗ୍ରହଣ କଲୁଁ । ଏବେ ଜନମୁଖେ ଅପବାଦ ପାଇଲୁଁ । ଜନଅପବାଦ ନାଶ କରେ ସୁକୀର୍ତ୍ତି । ଏଣୁକରି ତ‌ହିଁକି ମୁଁ କରଇଁ ଭୀତି । ଜନ ଅକିର୍ତ୍ତିରେ ଅଧୋଗତି ଲଭନ୍ତି । ଜନ ପ୍ରଶଂସିଲେ ସ୍ୱର୍ଗପୁରେ ବସନ୍ତି । ଅପବାଦ ଶୁଣି ଅଣାଇଲୁଁ ତୁମ୍ଭଙ୍କୁ । ଏ କଥାରେ ବଳାଇବ ନାହିଁ ଆମ୍ଭଙ୍କୁ । ଆମ୍ଭର ଚରଣ ରାଣ ଆମ୍ଭ ଶପଥ । ଆମ୍ଭ ଆଜ୍ଞା ନ ଭାଙ୍ଗି କରିବ ତ୍ୱରିତ । ସୀତାଙ୍କୁ ନେଇଣ ତୁମ୍ଭେ ବନେ ନିବେଶ । ଗଙ୍ଗାତୀରେ ବାଲମୀକି ଆଶ୍ରମ ପାଶ । ଋଷୀକୁଟି ଦେଖିବାକୁ ତାଙ୍କର ମନ । କଇତବେ ନେଇ ଛାଡ଼ି ଆସ ବ‌ହ‌ନ । ଏମନ୍ତ ଶୁଣିଣ ଭାତାମାନେ ଆକୁଳ । ସବୁଙ୍କରି ନୟନରୁ ଗଳିଲା ଜଳ । ରାମ ଆଜ୍ଞା ଦେଲେ ଲକ୍ଷ୍ମଣଙ୍କୁ ଅନାଇଁ । ସୀତାଙ୍କୁ ଘେନିଣ ଯିବ ରଥେ ବସାଇ । ସୁମନ୍ତ୍ର ସାରଥି ହୋଇ ରଥବାହିବ । ନିଶି ଥାଉଁ ଥାଉଁ ତାଙ୍କୁ ଘେନିଣ ଯିବ । ଆଜ୍ଞା ପାଇ ଲକ୍ଷ୍ମଣ ସୀଉକାର କଲେ । ଓଳଗ କରି ମେଲାଣି ସମସ୍ତେ ହେଲେ । ଏଥୁ ଅନନ୍ତରେ ନିଶି ହୁଅନ୍ତେ ଶେଷ । ସୁମନ୍ତ୍ର ରଥ ଆଣିଲେ ଲକ୍ଷ୍ମଣ ପାଶ । ଅନ୍ତଃପୁରେ ଲକ୍ଷ୍ମଣ ହୋଇଲେ ପ୍ରବେଶ । ଦରଶନ କଲେ ଯାଇଁ ଜାନ‌କୀ ପାଶ ।