ଋଷୀପତ୍ନୀ ଦେଖିବାକୁ ଶ୍ରଦ୍ଧା ତୁମ୍ଭର । ଆଜ୍ଞା ମୋତେ ଦେଇଛନ୍ତି କୋଦଣ୍ତଧର । ଶୁଣିଣ ଜାନକୀ ବହୁ ଆନନ୍ଦ ହେଲେ । ଦିବ୍ୟ ରତ୍ନଅଳଙ୍କାର ବସ୍ତ୍ର ଘେନିଲେ । ଚାଷିକାମିନୀମାନଙ୍କୁ ଦେବାର ପାଇଁ । ସେମାନ ଘେନି ବସିଲେ ରଥରେ ଯାଇଁ । ଲକ୍ଷ୍ମଣ ସହିତେ ବସିଲେ ମନ୍ତ୍ରିବର । ପ୍ରବେଶ ହୋଇଲେ ଯାଇଁ ନଦୀର ତୀର । ସୀତା ବୋଲନ୍ତି ଶୁଣ ହେ ଲକ୍ଷ୍ମଣ ବୀର । ଅମଙ୍ଗଳମାନତ ହେଉଛି ମୋହର । ଦକ୍ଷିଣବାହୁ ଦକ୍ଷିଣନେତ୍ର ସ୍ଫୁରଇ । ତନୁ କମ୍ପେ ହୃଦୟ ଆକୁଳ ହୁଅଇ । କହୁଁ କହୁଁ ଗଙ୍ଗାତୀରେ ପ୍ରବେଶ ହେଲେ । ସେଠାରୁ ଲକ୍ଷ୍ମଣ ମହାଶୋକୀ ହୋଇଲେ । ଜାନକୀ ବୋଲନ୍ତି ଭ୍ରାତ ପଦକମଳ । ଦିନେ ନ ଦେଖି ହେଉଛ ଏଡ଼େ ବିକଳ । ପ୍ରାଣପତି ଅଟନ୍ତି ମୋ ପ୍ରାଣ ପୁରୁଷ । ମୋହରି ହେଉଛି ତୁମ୍ଭ ପ୍ରାୟ ବିରସ । ଜାହ୍ନବୀ ସନ୍ନିଧେ ନିତ୍ୟକର୍ମ ସାରିଲେ । ଜାନକୀ ଘେନି ଲକ୍ଷ୍ମଣ ନାବେ ବସିଲେ । ସୁମନ୍ତ୍ର ରଥ ଘେନିଣ କୂଳେ ରହିଲେ । ଲକ୍ଷ୍ମଣ ଋଷିଆଶ୍ରମ ଦେଖାଇ ଦେଲେ । ନାବୁଁ ଓହ୍ଲାଇଣ ଗଙ୍ଗା ତଟରେ ବସି । ସାନୁଜ କାରୁଣ୍ୟକରୁଛନ୍ତି ବିଶେଷି । ବୋଲନ୍ତି ଏ କାର୍ଯ୍ୟକୁ ପେଶିଲେ ଭୁପାଳ । ଛେଦନ କିପାଁ ନ କଲେ ଏ ମୋର ବାଳ । ବୋଲନ୍ତି ଜାନକୀ କିପାଁ କହ ଏମାନ । ବାହୁଡ଼ି ଯିବାକୁ ହେଉଅଛି ମୋ ମନ । କେବଳ ମାତ୍ର ରହିବା ଆଜର ଦିନ । ସମସ୍ତ ଋଷିମାନଙ୍କୁ କରି ଦର୍ଶନ । ଶୁଣିଣ ଲକ୍ଷ୍ମଣ ପାଦେ ପଡ଼ି ରହିଲେ । ମୋର ଅପରାଧ ନ ଘେନିବ ବୋଇଲେ । ଜନମୁଖେ ରାମ ତୁମ୍ଭ ଅକୀର୍ତ୍ତି ଶୁଣି । ତେଜିଲେ ଏବେ ତୁମ୍ଭଙ୍କୁ କୋଦଣ୍ତପାଣି ।