ପୃଷ୍ଠା:Typical selections from Oriya literature.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ରାମାୟଣ

BY BALARAM DAS
(ଆଦିକାଣ୍ଡ)

(1)

ନମୋ ନାରାୟଣ ପ୍ରଭୁ କମଳାର ପତି ।
ନୀଳଗିରି-ଶିଖରେ ଯେ ଅପୂର୍ବମୂରତି ।
ସୁନ୍ଦର ଶ୍ରୀମୁଖେ ନୀଳଗିରି ପାଏ ଶୋଭା ।
କି ଜାଣି କି ପଟାନ୍ତର ଶରତଶଶୀ ପ୍ରଭା ।
ନୟନଯୁଗଳ କିବା ଶତଦଳ ପଦ୍ମ ।
ଜଗତଜୀବନ ନାଥ ପରମଆନନ୍ଦ ।
ସର୍ବଜନ ନିସ୍ତାରଣ ସୁରଗଣ ସାହା ।
ସର୍ବଦା ଯେ ଶଙ୍ଖ ଚକ୍ର ଗଦା ପଦ୍ମବାହା ।
ସର୍ବାଙ୍ଗେ ଯେ ଶ୍ରୀଚନ୍ଦନ ଲେପନ ଶ୍ରୀହରି ।
ବିଚିତ୍ର ଝିନବସନ ପରିଧାନ କରି ।
ଲଳିତ ସୁରଙ୍ଗ ସୁଶୋଭିତ ନେତ୍ରଛଟା ।
ହରିତ କାଛଟା ଅଙ୍ଗେ ଚାରୁ ପାଟଫେଟା ।
ଶିରେ ତ୍ରିଶାଖା ମୁକୁଟ କୁଣ୍ଡଳ ରାଜଇ ।
ତପନ କିରଣ ଜାଣି କର୍ଣ୍ଣେ ଝଲକଇ ।
ଲଲାଟରେ ସୁଶୋଭିତ ରତ୍ନସମ ଚିତା ।
ଗଗନମଣ୍ଡଳେ କିବା ଉଦିତ ସବିତା ।
ଅଳକାମଣ୍ଡଳେ ଶୋହେ ଗଜମତି ହୀରା ।
ଚନ୍ଦ୍ରମାମଣ୍ଡଳେ କିବା ଉଦେ ଲକ୍ଷେ ତାରା ।
ଗଣ୍ଡସ୍ଥଳଯୁଗଳ କି କନ୍ଦର୍ପ ଦର୍ପଣ ।
ହୃଦେ ଯେ ପଦକ ହେମପବିତ୍ର କନ୍ଧେଣ ।
ତ୍ରିକଚ୍ଛ ବସନ ଅଙ୍ଗେ ଉତ୍ତରୀ ଶୋଭିତ ।
ଚତୁର୍ମୁଖେ ବନ୍ଦିବାକୁ ଧାତା ଅସମର୍ଥ ।
ଚତୁର୍ଦ୍ଦଶ ଭୁବନରେ କି ଦେବା ଉପମା ।
ମୁଁ କିସ କହିବି ପ୍ରଭୁ ଅଙ୍ଗର ମହିମା ।
କାଳନ୍ଦୀଜଳ କଲ୍ଲୋଳ ଲହରୀ ଶୋଭିତ ।
ମଧ୍ୟରେ ଅଧର ଶୋଭା ପୋହଳା ବୋଇତ ।
ସୁସଞ୍ଚ ତ୍ରିମୁଣ୍ଡି ପାବଚ୍ଛରେ ହୋଏ ରୋଳ ।
ପ୍ରସାଦ ସୌରଭେ ଭ୍ରମନ୍ତି ଭୃଙ୍ଗମେଳ ।