ପୃଷ୍ଠା:Typical selections from Oriya literature.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୪
ଓଡ଼ିଆ ସାହିତ୍ୟ-ପରିଚୟ

ସୁସଞ୍ଚ ସୁରଙ୍ଗ ପକ୍କ ଅଧରର ରେଖା ।
ଜଳଦମଣ୍ଡଳେ କିବା ଝଟେ ବିଦ୍ୟୁଲ୍ଲେଖା ।
ସୁବଳିତ ନାସାକୁ କି ପଟାନ୍ତର ଅଛି ।
ଆପଣେ ଆପଣେ ରୂପେ ଘଟିତ ଶ୍ରୀବତ୍ସି ।
ତ୍ରୌଲୋକ୍ୟ ଜନ ହୁଅନ୍ତି ବଶ ଯାହା ଦେଖି ।
ସେହି ଶ୍ରୀଜଗନ୍ନାଥ ଯେ ସର୍ବଜନ ସାକ୍ଷୀ ।
କଟିର ମେଖଳା ସୁଶୋଭିତ ଦିବ୍ୟକାନ୍ତି ।
ବାମେ ଯମଦାଢ଼ ଯେ ପ୍ରଚଣ୍ଡ ସୂର୍ଯ୍ୟଜ୍ୟୋତି ।
ରତ୍ନସିଂହାସନେ ନେତର ଯେ ଦୋଳି ପାରି ।
ବିଜୟ ନାରାୟଣ ବଡ଼ିମାପଣ ଛାଡ଼ି ।
ବ୍ରହ୍ମା ଆଦି ରୁଦ୍ର ଚନ୍ଦ୍ର ବନ୍ଦନ୍ତି ଯେ ଧ୍ୟାନେ ।
ସେହି ପ୍ରଭୁ ଅବତାର ମଞ୍ଚେ ବିଦ୍ୟମାନେ ।
ଦେଖିବାକୁ ସୁନ୍ଦର ସୁଲଭ ଅଗୋଚର ।
ପରମବ୍ରହ୍ମରୂପ ଦିଶଇ ଶୋଭାକର ।
ଅବ୍ୟୟ ଅମୃତରୂପ ଦିଶେ ଆଦିକାୟା ।
ଅବର୍ଣ୍ଣ ଅଜିତ ଅବିବେକ ଯାର ମାୟା ।
ଅନନ୍ତକୋଟି ବ୍ରହ୍ମାଣ୍ଡେ ଅନନ୍ତ ଇଶ୍ୱର ।
ସ୍ବଇଚ୍ଛାରେ ବିଜୟ ଦକ୍ଷିଣ ସିନ୍ଧୁତୀର ।
ବଡ଼ ସିଂହାସନେ ବିଷ୍ଣୁ କ୍ଷେତ୍ର ମଧ୍ୟେ ବିଜେ ।
ରାଜରାଜେଶ୍ବର ରାଜା ତହିଁରେ ବିରାଜେ ।
ପାଟମହାଦେଇ ଯେ ରୁକ୍ମିଣୀ ସତ୍ୟଭାମା ।
ମତ୍ରୀବର ଜ୍ୟେଷ୍ଠଭ୍ରାତା ବଳଦେବ ସୀମା ।
ଭଗ୍ନୀ ଯେ ସୁଭଦ୍ରା ତହିଁ ସମ୍ଭାଳନ୍ତି ଅର୍ଥ ।
ଭଣ୍ଡାରରେ ପରିପୂର୍ଣ୍ଣ ସକଳ ପଦାର୍ଥ ।
ବଜ୍ରର ସମାନ ଜାଣି ପାଷାଣ ନବର ।
ରଥେ ଚକ୍ରଚିହ୍ନ ଚିରାଳ ଯେ ଫରହର ।
ଆଗରେ ଯେ ଦ୍ବାରପାଳ ବିନତାର ବତ୍ସି ।
ଦକ୍ଷିଣପାଖରେ ଯେ କଳପବଟ ଅଛି ।
ଲବଣସମୁଦ୍ର ଯହିଁ ଗଡ଼ର ଯେ ଖଣା ।
ଲାଉକେଶ୍ବର ଲିଙ୍ଗ ପଶ୍ଚିମଦ୍ୱାର ରଣା ।
ପାଟଣାନଗର ନାମ ପୁରସ୍ତମ ପୁରୀ ।
ବ୍ରହ୍ମା ସୃଜିଅଛି ଯାହା ଅତି ଯତ୍ନ କରି ।
ମାରକଣ୍ଡେଶ୍ବର ଲିଙ୍ଗ ନଗ୍ର ଦଣ୍ଡଘାଟ ।
ସୁସଞ୍ଚେ ବସଇ ଯେ ମୁକୁତା ଚାରିହାଟ ।