ପୃଷ୍ଠା:Typical selections from Oriya literature.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୫
ଓଡ଼ିଆ ସାହିତ୍ୟ-ପରିଚୟ

ସୂବର୍ଣ୍ଣମୟ ପୁରୀ ଦିଶଇ ଅତିଶୋଭା ।
ତହିଁ ମଧ୍ୟେ ନ ପଶଇ କାଳଦଣ୍ଡ ପ୍ରଭା ।
ଦଶସହସ୍ର ଯେ ଘର ଅଷ୍ଟାଦଶ ଜାତି ।
ସମସ୍ତେତ ଚତୁର୍ଭୁଜ ସ୍ବର୍ଗକୁ ଦିଶନ୍ତି ।
ଦେଖି ସର୍ବ ଦେବତା ପୁଚ୍ଛନ୍ତି ପିତାମହ ।
ଏଥିର ସଂଶୟ ଧାତା ବିଚାରିଣ କହ ।
ମର୍ତ୍ତ୍ୟଲୋକ ଭରତଖଣ୍ଡ ପୂର୍ବଦିଗ ଦେଶ ।
ଦକ୍ଷିଣ ମହୋଦଧି ଉତ୍ତର ତଟ ଦିଶ ।
ନୀଳଗିରି ଶିଖରେ ବିଜୟ ଚକ୍ରଧାରି ।
ଚର୍ମନୟନେ ଦେଖିଲେ ଲୋକେ ଯାନ୍ତି ତରି ।
ନଗ୍ର ସୁସଞ୍ଚ ଅନେକ ଲୋକ ରହିଅଛି ।
ସମସ୍ତେହେଁ ଦିଶନ୍ତି ପ୍ରତ୍ୟକ୍ଷେ ଶିରୀବତ୍ସି ।
ଶଙ୍ଖଚକ୍ର ଗଦା ଯେ ଶାରଙ୍ଗ ଚତୁର୍ଭୁଜ ।
ଏଥିର ମଧ୍ୟରେ ଯେ ବିଜୟ ଦେବରାଜ ।
କେମନ୍ତେ ଜାଣିମା ଏହା କହ ଚତୁର୍ମାଥା ।
ଆମ୍ଭଙ୍କୁ ଦୁଲ୍ଲଭ ଯେ ହୋଇଲା ଏହୁ କଥା ।
ହସିଣ ବ୍ରହ୍ମାଏ ବୋଇଲେ ହେ ଦେବେ ଶୁଣ ।
ପୁରୁଷୋତ୍ତମକ୍ଷେତ୍ର ବୈକୁଣ୍ଠ ନାରାୟଣ ।
ଯେଉଁ କ୍ଷେତ୍ରେ ଜଗନ୍ନାଥ ଆପେ ଦେହଧାରୀ ।
ଚର୍ମନୟନେ ଦେଖିଲେ ଭବୁ ଯାନ୍ତି ତରି ।
ସକଳ ଲୋକେ ହୋଇଲେ ତହିଁ ଚତୁର୍ଭୁଜ ।
ବିଚାରି ଆପଣା ଭୁଜ ଛାଡ଼ି ଦେବରାଜ ।
ଚରଣହିଁ ନ ବହିଲେ ଜଗଜ୍ଜନ ହିତେ ।
ଗୁପତ କଲେକ ପ୍ରଭୁ ଶ୍ରୀଜଗତନାଥେ ।
ନିର୍ଗୁଣ ପ୍ରାଣୀ-ରୂପ ଯେ ନିରାକାର ରେଖ ।
ବ୍ରହ୍ମାର ବଚନେ ଦେବେ ହର୍ଷ କଲେ ମୁଖ ।
ସୁରମୁନି ସହିତେ ଅଇଲେ ଦେବେ ଦେଖି ।
ସଫଳ ହୋଇଲେ ଦେବେ ସ୍ୱରୂପ ନିରେଖି ।
ବେନିଭୁଜ ତୋଳି ଜନେ ଡାକନ୍ତି ଶରଣ ।
ତେଣୁ ନାମ ତାଙ୍କର ଜଗତ ନିସ୍ତାରଣ ।
ଭକ୍ତଜନ ଦେଖିଣ ସେ ହରଷେ ହସନ୍ତି ।
ତେଣୁକରି ସୁରଙ୍ଗ ଅଧର ବିକାଶନ୍ତି ।
ଚକ୍ଷୁ ନିର୍ମଳ କରିଣ ଦେବଗଣେ ଚାହେଁ ।
ନପୁଣ ସେବକ ମୋର କର୍ମେ ଦୁଃଖ ପାଏ ।