ପୃଷ୍ଠା:Typical selections from Oriya literature.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କପିଳାସକନ୍ଦରେ ସେ ପଶିଲାକ ଯାଇଁ ।
ତହିଁକି ଗଲାସେ ବୀର ପ୍ରତିଜ୍ଞା ଦେଖାଇ ॥
କୁବେରକୁ ଯୁଦ୍ଧେ ଜିଣି ଆଣିଲା ବିମାନ ।
ଦେବଙ୍କର ଆରୋହଣ ଅଟଇ ସେ ଯାନ ॥
ତିନିପୁର ଗମନ ସେ କରେ ମାୟାରଥ ।
ତହିଁ ବସି ଜିଣିଲା ସେ ସର୍ବ ଦେବତାନ୍ତ ॥
ସ୍ବର୍ଗପୁରକୁଇଁ ଦିନେ ବିଜେକରି ଗଲା ।
ମରୁତରାଜ ଯଜ୍ଞରେ ପ୍ରବେଶ ହୋଇଲା ॥
ଦେଖି ଦେବତାଏ ଭୟେ ଗଲେ ଅପସରି ।
ମରୁତରାଜାକୁ ବଳେ ଜିଣିଲାକ ଧରି ॥
ମୟ ଦଇତ-ଦୁହିତା ନାମ ମନ୍ଦୋଦରୀ ।
ନାହିଁ ପଟାନ୍ତର ତାକୁ ପବିତ୍ର ସୁନ୍ଦରୀ ॥
ତାହାକୁଇଁ ବିଭା ହୋଇଲା ବିଂଶପାଣି ।
ସେ ସୁଲକ୍ଷଣୀ ତାହାର ହେଲା ପାଟରାଣି ॥
ବ୍ରହ୍ମା ସୁପ୍ରସନ୍ନେତାକୁ ଦେଲେ ବ୍ରହ୍ମଶର ।
ତେଣୁ ସେ ପାପିଷ୍ଠ ଜିଣିଲା ତିନିପୁର ॥
ପୃଥିବୀରେ ରାଜଗଣେ ନୋହିଲେକ ସରି ।
ଅଯୋଧ୍ୟାରେ ଅନରଣ୍ୟ ରାଜାକୁ ସେ ମାରି ॥
ପୃଥିବୀକି ଜିଣି କରି କପିଳାସ ଗଲା ।
ପର୍ବତକୁ ଉପାଡ଼ିଣ ଶିରରେ ବହିଲା ॥
ତାହା ଜାଣି ଶିବଗଣ ଶଙ୍କର ସହିତେ ।
ଗରୁ ହୋଇ ଯାଇଁ ମାଡ଼ି ବସିଲେ ସମସ୍ତେ ॥
ଘୋରରାବ ଦେଇ ପ୍ରାଣ ଛାଡ଼ନ୍ତେ ଅସୁର ।
ରାବଣ ତା ନାମ ଦେଇ ରଖିଲେ ଶଙ୍କର ॥
ପ୍ରଶନ୍ନେ ଅମରବର ଦେଲେ ତ୍ରିପୁରାରି ।
ଯମକୁଇଁ ଜିଣିଳା ସେ ସ୍ବର୍ଗପୁରେ ଧରି ॥
ପାତାଳେ ପଶି ବାସୁକି ସଙ୍ଗେ ଯୁଦ୍ଧ କଲା ।
ତାକୁ ସମାଧାନ କରି ବଳିକି ଭେଟିଲା ॥
ପାତାଳବୈକୁଣ୍ଠେ ଦେଖିଲାକ ଦେବହରି ।
ସେଠାରେ ଦଣ୍ଡ ପାଇ ଅଇଲା ଅପସରି ॥
ମଞ୍ଚପୁରେ ମାନ୍ଦାତା ସଙ୍ଗତେ ଯୁଦ୍ଧ କଲା ।
ତରକ ଭାବରେ ତହୁଁ ବାହୁଡ଼ି ଅଇଲା ॥
ହୟୀହୟ ବଂଶେ ଜାତ ସହସ୍ରଅର୍ଜୁନ ।
ଜଳକ୍ରୀଡ଼ା ବେଳେ ତାକୁ ଭେଟେ ଦଶାନନ ॥