ପୃଷ୍ଠା:Typical selections from Oriya literature.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏତେ ବୋଲି ବେଦମତୀ ବିଷ୍ଣୁଙ୍କୁ ଧ୍ୟାଇଲା ।
ଅପ୍ରତିଷ୍ଠା ଅଙ୍ଗବୋଲି ଅଗ୍ନିରେ ଦହିଲା ॥
ସେହି ସେ ପରମଲକ୍ଷ୍ମୀ ଜନକକୁମାରୀ ।
ସୀତା ନାମ ତାର ପ୍ରତ୍ୟକ୍ଷେ ସେ ବିଷ୍ଣୁନାରୀ ॥
ମାତାଗୁଣେ ରାବଣର ରାକ୍ଷସ ପ୍ରକୃତି ।
ଦେବାସୁରନରେ କେହି ନ ରହନ୍ତି କତି ॥
ଦେବତାଏ ବିଚାରିଣ ହୋଇ ସର୍ବେ ଗୋଷ୍ଠୀ ।
କି ବୁଦ୍ଧି କରିବୁଁ ତୁମ୍ଭେ କହ ପରମେଷ୍ଠି ॥
ରାବଣର ଉପଦ୍ରବ ନୋହେ ଆଉ ସହି ।
ରସାତଳେ ପଡ଼ିବି ମୁଁ ବୋଲେ ଦେବୀମହୀ ॥
ପିତାମହ ବୋଇଲେ ହେ ରହି କିଛିକାଳ ।
ପ୍ରଥମ ବୟସେ ହୋଇଅଛି ଅନର୍ଗଳ ॥
ସମୟରେ ଭୁଞ୍ଜିବ ସେ କିଛିକାଳ ମହୀ ।
କାଳ ଅବଶେଷେ ନାଶଯିବ ତାର ଦେହୀ ॥
ଏମନ୍ତ ବିଚାରି ସାରି ମଉଳିଲା ଗୋଷ୍ଠି ।
ବୋଲନ୍ତି ଯେ ସଦାଶିବ ଶୁଣ ଗୋ ବିମ୍ବୋଷ୍ଠି ॥
ଏମନ୍ତେ ଅପାର ଯୁଗ ଯୁଗାନ୍ତର ଗଲା ।
ଅନେକ ଯେ ଉପଦ୍ରବ ସେ ରାବଣ କଲା ॥
ପୁଣିହିଁ ସେ ସୁରଗଣ କରନ୍ତି ବିଚାର ।
କେତେକାଳ ସେବା ଆଉ କରିବା ଦୈତ୍ୟର ॥
କାହାର ହସ୍ତେ ମରିବ ରାବଣ ଅସୁର ।
ଆମ୍ଭର ଆଗରେ ଏହା କହ କୁଶଧର ॥
ବିଧାତା ବୋଇଲେ ତୁମ୍ଭେ ଶୁଣ ସୁରଗଣ ।
ଶ୍ରୀ ନନ୍ଦିକେଶ୍ବର ଶାପେ ମରିବ ରାବଣ ॥
ପୂର୍ବଦିଗେ କପିଳାସ ନାମ ହରପୁରୀ ।
ନନ୍ଦିକେଶ୍ବର ବୋଲି ଯେ ତାହାଙ୍କ ଦୁଆରୀ ॥
ରାବଣ ବର ପାଇଣଅ ଆସନ୍ତେଣ ଭଲା ।
ଦ୍ବାରେ ଥାଇ ସେହି ନନ୍ଦୀ ଦ୍ବାରୀପଣ ନେଲା ॥
ବର-ତେଜଭରେ ସେ ରାବଣ ମହା କୋପୀ ।
କରରେ ଖଡ଼ଗ ଘେନି ମାରିବାକୁ ଝାମ୍ପି ॥
ବୋଇଲା ତୁ ଛାର ରେ ବାନର ନରବୁଦ୍ଧି ।
ମୁହିଁ ମହାରାଜା ମୋର ଅସଂଖ୍ୟ ଯେ ଆଧି ॥
ବ୍ରହ୍ମାର ବଚନେ ମୁଁ କାହାକୁ ନ ଗଣଇଁ ।
ଇନ୍ଦ୍ରାଦି ଦେବତାଙ୍କୁ ମୁଁ କିଞ୍ଚିତ ମଣଇ ॥