ପୃଷ୍ଠା:Typical selections from Oriya literature.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରାବଣ ନାମରେ ଏବେ ବିଶ୍ରବାର ଶିଷ୍ୟ ।
ମାତାଗୁଣ ବହିଣ ସେ ହୋଇଲା ରାକ୍ଷସ ॥
ସାତଦ୍ବୀପ ସାଧି ସେ ସ୍ବର୍ଗକୁ ଦେଲା ଧାଡ଼ି ।
ଇନ୍ଦ୍ର ଚନ୍ଦ୍ର କୁବେରାଦି ଦେବେ ଦୟା ଛାଡ଼ି ॥
ଯମ ବୃହଷ୍ପତି ଯେ ପବନ ହୁତାଶନ ।
ଅଷ୍ଟଅପସରୀ ଯେ କିନ୍ନରୀ ଦେବଗଣ ॥
ସମସ୍ତଙ୍କୁ ଖଟାଇଲା ସିଂହାସନ-ତଳେ ।
ଲଙ୍କାରେ ସେବିଲୁଁ ତାକୁ ପ୍ରାଣରେ ବିକଳେ ॥
ଏ କଷ୍ଟରୁ ପାରିକର ରାବଣକୁ ମାରି ।
ତାହା ଶୁଣି ପ୍ରସନ୍ନ ଯେ ହେଲେ ଦଇତ୍ୟାରି ॥
ହସିକରି ଆଜ୍ଞାଦେଲେ ପ୍ରଭୁ ଦାମୋଦର ।
ଯାଅ ଦେବତାଏ ତୁମ୍ଭେ ଯେ ଯାହାର ଘର ॥
ତୁମ୍ଭେମାନେ ସେବା ପାଇ ସୁଖେ ବର ଦିଅ ।
ବିପଦେ ପଡ଼ିଲେ ଆସି ମୋ ଆଗରେ କହ ॥
ନିଶ୍ଚୟେ ନିଦ୍ରାରେ ମୋର ଶୟନରେ ଥାଇ ।
ତୁମ୍ଭ ଦୁଃଖ ଶୁଣିଲେତ ମନ ନ ରହଇ ॥
ତେଣୁ ସକଳେ ମୋତେ କରିଥାଅ ଇଷ୍ଟ ।
କେମନ୍ତେ ସମ୍ଭାଳିବି ମୁଁ ନ କରିଣ କଷ୍ଟ ॥
ଶୁଣି ଦେବତାଏ ଗଲେ ଯେ ଯାହାର ପୁର ।
ଆଜ୍ଞା ପରମାଣେ କଥା ଧରିଣ ମନର ॥
ଶୁଣସି ଆଗୋ ଭବାନି ବୋଲନ୍ତି ଇଶାନ ।
ଏ ସେ ରାମାୟଣ ଆଦ୍ୟକାଣ୍ଡର ଆଖ୍ୟାନ ॥
ଜମ୍ବୁଦ୍ବୀପ ଭ୍ରତଖଣ୍ଡେ ମଧ୍ୟଭଗ ମହୀ ।
ଦକ୍ଷିଣକୋଶଳ ସେ ପବିତ୍ର ଦିବ୍ୟଭୂଇଁ ॥
ଅଯୋଧ୍ୟା ନାମେ ନଗ୍ର ସରଯୂନଦୀତଟେ ।
ପବିତ୍ର ନଦୀ ସେ ଜାଣ ରାଜ୍ୟର ନିକଟେ ॥
ନଗ୍ର ପରିମଳ ପୁଣି ଅତିଅନ୍ତ ଶୋଭା ।
କି ଜାଣି ପଟାନ୍ତର ଶରଦଶଶୀ ପ୍ରଭା ॥
ରାଜାର ମନ୍ଦିରର ଅପୂର୍ବ ଦିବ୍ୟକାନ୍ତି ।
ମେଢ଼ ଆଉ ମଣ୍ଡପ ଯେ ଅଟ୍ଟାଳି ଜଗତୀ ॥
ଚନ୍ଦନ ଅଗର କାଠରୁଅ ଚାରୁ ଶେଣୀ ।
ତେଜପତ୍ରେ କରିଛନ୍ତି ଉପର ଛାଉଣି ॥
ମୁକୁତାର ଝରା ତହିଁ ନୀଳା ରତ୍ନ ଜଡ଼ି ।
ବିଚିତ୍ର ପୁତ୍ତଳି ଯେ ବିଚିତ୍ରବର୍ଣ୍ଣେ ଘଡ଼ି ॥