ପୃଷ୍ଠା:Typical selections from Oriya literature.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୩୭
ଓଡ଼ିଆ ସାହିତ୍ୟ-ପରିଚୟ

ମର୍କତର କଳଶ ଯେ ନେତର ଚିରାଳ ।
ଚନ୍ଦ୍ରାତପ ତେଜ କିବା ଆଦିତ୍ୟ ପ୍ରବାଳ ।
ସାମନ୍ତମାନଙ୍କ ଉଆସ ଯେ ଦିବ୍ୟପୁରୀ ।
ଘରେ ଘରେ ପରିପୂର୍ଣ୍ଣ ସାଗରକୁମାରୀ ।
ଅଷ୍ଟାଦଶ ପାଟକ ଯେ ଭନ୍ନ ଭିନ୍ନ ସାଇ ।
କୂପ ବାମ୍ଫୀ ସରୋବର ଅନେକ ଅଛଇ ।
ସ୍ୱର୍ଗଲୋକ ପ୍ରାୟ ଦେଖାଯାନ୍ତି ନର ନାରୀ ।
ଆପଣେ ବିଶ୍ୱକର୍ମା ନିର୍ମାଣିଅଛି ପୁରୀ ।
ସୂର୍ଯ୍ୟବଂଶେ ଦଶରଥ ଅଟେ ପୁଣ୍ୟଜ୍ଞାନୀ ।
ଦୁଃଖୀ ଦରିଦ୍ରଙ୍କୁ ସେ ଯେ ଅନୁକ୍ଷଣେ ଦାନୀ ।
ଧର୍ମଶାସ୍ତ୍ର ପୁରାଣ ଆଗମ ସେ ଶୁଣନ୍ତି ।
ପ୍ରତ୍ୟକ୍ଷେ ଦିଶନ୍ତି ଦଶରଥ ଧର୍ମମୂର୍ତ୍ତି ।
ଚନ୍ଦ୍ରମା ପ୍ରାୟେକ ତାର ଆହାଲ୍ଲାଦ ଜାଣ ।
ଶୂରବନ୍ତପଣେ ଶଚୀପତିର ସମାନ ।
ଅନଳ ପରାୟେ ସେ ଯେ ଶତ୍ରୁଙ୍କୁ ଦିଶନ୍ତି ।
ପବନହୁଁ ବେଗ ତାର ଚଳିବାର ଗତି ।
ବରୁଣ ସମାନ ସେ ଶୀତଳ ଗୁଣଭାଷୀ ।
ଅଇଶ୍ୱର୍ଯ୍ୟପଣେ ସେ କୁବେରଠାରୁ ବେଶି ।
ବଡିମାରେ ମେଦିନୀ ସ‌ହିତ ମେରୁସମ ।
ରୂପରେ ଦ୍ୱିତୀୟ କାମ ତେଜେ ଅଟେ ଯମ ।
ବକତାରେ ଶକତା କି ଦ୍ୱିତୀ ବୃହଷ୍ପତି ।
ଦାନେ ସଚା ତାହା ସମ ନାହିଁ ଜଣେ କ୍ଷିତି ।
ବିବେକ ମର୍ଯ୍ୟାଦାବନ୍ତ ଶାସ୍ତ୍ର ସେ ଶୁଣଇ ।
ଧନୁର୍ଦ୍ଧାରୀ କ୍ଷତ୍ରିମଧ୍ୟେ ଗଣିତା ହୁଅଇ ।
ଅକଣ୍ଟକ ରାଜ୍ୟଭୋଗ କରଇ ସେ ରାଜା ।
ତିନିପୁରେ ବିଦିତ ତା ନାମେ ବାଜେ ବାଜା ।
କୌଶଲ୍ୟା କୈକେୟୀ ସୁମିତ୍ରା ଏ ତିନିରାଣୀ ।
ପାଟବଂଶୀ ଖଟନ୍ତି ସେ ରାଜା ମନ‌ଜାଣି ।
ସାତଶପଞ୍ଚାଶ ରାଣୀ ପୁତ୍ର ଅର୍ଥେ କଲା ।
ଦଇବର ଯୋଗୁଁପୁତ୍ର ଜାତ ଯେ ନୋହିଲା ।
ଜ୍ୟେଷ୍ଠ କଉଶଲ୍ୟା ରାଜା ମନ‌କୁ ମୋହିଲା ।
ତିନିପୁରେ ପ୍ରତାପୀ ସେ ମହାରାଜା ହେଲା ।
ପୁରୋହିତ ବଶିଷ୍ଠ ତା ମନ୍ତ୍ରୀ ଯେ ସୁମନ୍ତ୍ର ।
ଭଟ୍ରୁମିଶ୍ର ବାମଦେବ ପଣ୍ତା ତପୋବନ୍ତ ।