ପୃଷ୍ଠା:Typical selections from Oriya literature.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୦
ଓଡ଼ିଆ ସାହିତ୍ୟ-ପରିଚୟ

ମଞ୍ଚ ରାଜା ଅଟେ ତାର କିସ ବୀର୍ଯ୍ୟ ବଳ ।
ନ ଜାଣି କୋପ କରଇ ମୋତେ ମ‌ହୀପାଳ ।
ଅଯୋଧ୍ୟା ସ‌ହିତେ କରିବି ମୁଁ ଭସ୍ମରାଶି ।
କଥା ରୁହାଇବି ମଞ୍ଚେ ଶୁଣସ୍ୱର୍ଗବାସି ।
ପିତାମହ ବୋଇଲେ ନ କର ଶନି ରୋଷ ।
ପୂର୍ବର କଥା ଏମନ୍ତ ଶୁଣ ଯେ ଭବିଷ୍ୟ ।
ଦେବଙ୍କ କାର୍ଯ୍ୟ ହୋଇବ ଜାଣ ତାହାଘେନି ।
ନ କର ତୁ ତାକୁ କୋପ ମୋର ବୋଲେ ଶନି ।
ତାହାର କୋଳରେ ବିଷ୍ଣୁ ହୋଇବେ ଜନମ ।
ରାବଣ ଆଦି ଦୁଷ୍ଟଙ୍କୁ କରିବେ ନିଧନ ।
ତେବେ ସେ ଦେବେ ସୁସ୍ଥେ ବସିବେ ସ୍ୱର୍ଗପୁରୀ ।
ତୁହିତ ଶନିଶ୍ଚର ହୋ ଦେବଗଣ ସରି ।
ଶୁଣିଣ ପ୍ରସନ୍ନମନା ହୋଇ ଶନିଶ୍ଚର ।
ୟା ଯୋଗୁ ହେବ ଯେବେ ଦେବଙ୍କ ଉପକାର ।
ଆଜ ମୁଁ ଏହାର ନ ଭେଦିବି ଏହୁ ରାଶି ।
ଏତେ ବୋଲି ଶନିଶ୍ଚର ଚିତ୍ତେ ଭାବି ବସି ।
କେବଳ ମାତ୍ର ଗମନ ମୋର ପୂର୍ବ ହେତୁ ।
ନାହିଁ ମୋର କ୍ରୋଧ ତାକୁ ଜାଣ କୁଶକେତୁ ।
ଶୁଣି ଦେବଗଣେ ଅନ୍ତରିକ୍ଷେ ଡାକଦେଲେ ।
ଆହୋ ଦଶରଥ କୋପ ସଂହର ବୋଇଲେ ।
ଧାତାର ବଚନେ ନ ପୀଡ଼ିବ ତୋର ରାଶି ।
କୋପ ଶାନ୍ତି କରି ନାରାଚ ତୁ ସଂହରସି ।
ଏତେ କ‌ହି ଦେବଗଣେ ପୁଷ୍ପବୃଷ୍ଟି କଲେ ।
ଶାନ୍ତି ଭଜି ବେନିଲୋକେ ଯେଝାପୁରେ ଗଲେ ।
ସେହି ଦିନୁ ଶନିର ରୋହିଣୀ ଭେଦ ନାହିଁ ।
ଯାବତକାଳକୁ କଥା ଶାସ୍ତ୍ରେ ଅଛି ରହି ।
ଶୁଣ ଶଶିମୁଖି ଗୋ କ‌ହ‌ନ୍ତି ତ୍ରିପୁରାରି ।
ରବିତଳେ ନାହିଁ ଦଶରଥକୁ କେ ସରି ।
ପ୍ରତିଜ୍ଞାବନ୍ତ ରାଜା ସେ ସର୍ବଗୁଣେ ପୂର୍ଣ୍ଣ ।
ସ୍ୱର୍ଗେ ପ୍ରଶଂସା କରନ୍ତି ତାକୁ ମଘବାନ ।
ମଞ୍ଚେ ରାଜା ଯେତେ ସେ ସକଳ ସାଧ୍ୟ କଲା ।
ବୁଦ୍ଧିବଳ ପରାକ୍ରମେ ଶନିକି ଜିଣିଲା ।
ଏଥୁ ଅନନ୍ତରେ ସେ ଅଯୋଧ୍ୟା ନୃପମଣି ।
ସଭାକରି ମୁଖେ ବିଷ୍ଣଶାସ୍ତ୍ର ବସି ଶୁଣି ।