ପୃଷ୍ଠା:Typical selections from Oriya literature.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୧
ଓଡ଼ିଆ ସାହିତ୍ୟ-ପରିଚୟ

ମନ୍ତ୍ରୀ ଅମାତ୍ୟମାନଙ୍କୁ ଘେନି ନୃପମଣି ।
ବଶିଷ୍ଠଙ୍କୁ ଚାହିଁଣ ବୋଲଇ ମୃଦୁବାଣୀ ।
ଭୋ ମହାମୁନି ମୁହିଁ ଯେ ପଚାରଇ ତୋତେ ।
ଅନୁଗ୍ରହ ବଚନେ ତୁ ଆଜ୍ଞାଦିଅ ମୋତେ ।
ସୂର୍ଯ୍ୟବଂଶ ଆମ୍ଭର ଧାର୍ମିକ ସତ୍ୟବାଦୀ ।
ତ୍ରୈଲୋକ୍ୟମଧ୍ୟରେ ଆମ୍ଭ ମହିମା ପ୍ରସିଦ୍ଧି ।
ଇଚ୍ଛାକୁରୁ ମାନ‌ଧାତା ହରିଶ୍ଚନ୍ଦ୍ର ରାୟେ ।
ଦିଲୀପ ଯେ ଭଗୀରଥ ରଘୁନୃପ ଯାଏ ।
ଅଜ ଋତୁପର୍ଣ୍ଣ ଯେ ସଗର ମହାରାଜା ।
ଏକୁଏକ ସାମରଥ ପାଳନ୍ତିତ ପ୍ରଜା ।
ଧାର୍ମିକ ଶୂରବୀର ଆଚାର୍ଯ୍ୟ ମଧ୍ୟେ ଗଣି ।
ଏହାଙ୍କର କୀର୍ତ୍ତିମାନ ପୁରାଣେ କାହାଣୀ ।
ପୁତ୍ରର ସମାନ କରି ପାଳନ୍ତି ପରଜା ।
ଅନେକ ଯାଗ ଯଜ୍ଞ ସେ କରିଛନ୍ତି ରାଜା ।
ଏମାନଙ୍କ ରାଜ୍ୟକାଳେ ନାହିଁ ଅନାବୃଷ୍ଟି ।
ଶସ୍ୟ ସଂପୂର୍ଣ୍ଣ ଚଳାନ୍ତି ଏହୁ ନବସୃଷ୍ଟି ।
ତାହାଙ୍କର କୁଳେ ମୁଁ ଯେ ହୋଇଲଇଁ ଜାତ ।
ମୋହର ଜାଣନ୍ତେ ମୁହିଁ ନ କରେ ଦୁଷ୍କୁତ ।
ନହୁଶତ ବରଷ ହୋଇଲା ମୋତେ ଆସି ।
ବୃଦ୍ଧ ସମୟରେ ମୋର ହେଲା ତପଧ୍ୱଂସି ।
ପୁତ୍ର ଅର୍ଥେ ବିଭା ହେଲି ରାଜାର ଦୁଲଣୀ ।
ସାତଶ ପଞ୍ଚାଶ କନ୍ୟା ତିନି ପାଟରାଣୀ ।
ତେବେହେଁ ନୋହିଲା ମୋର କାଳେ ପୁତ୍ର ଜାତ ।
ମୋହରଠାବରୁ ବଂଶ ସରେ ତପୋବନ୍ତ ।
କି ବୁଦ୍ଧି କରିବଇଁ ଉପାୟ ମୋତେ କ‌ହ ।
ପୁତ୍ରହୀନେ ବ୍ୟାକୁଳ ଯେ ହେଉଛି ମୋ ଦେହ ।
ଅର୍ଥ ସମ୍ପଦ ମୁନି ହେ ସକଳ ଐଶ୍ୱର୍ଯ୍ୟ ।
ସକଳ ବିଅର୍ଥ ମୋର ଏଥିରେ କି କାର୍ଯ୍ୟ ।
ପୁତ୍ରର ବିହୁନେ ଘରେ କେବେ ସୁଖ ନାହିଁ ।
ଅପୁତ୍ରିକଲୋକଙ୍କର ସ୍ୱର୍ଗେ ଠାବ ନାହିଁ ।
ପୁତ୍ରର ବିହୁନେ ଗୃହ ନୋହିଲା କାରଣ ।
ପୁତ୍ର ସେ ଅଟଇ ନିଜ କୁଳ ଉଦ୍ଧାରଣ ।
ଅପୁତ୍ରିକଲୋକଙ୍କର ମୁଖହିଁ ନ ଚାହିଁ ।
ଅପୁତ୍ରିକ ଘରେ ଗଲେ ଅନ୍ନହିଁ ନ ପାଇ ।