ପୃଷ୍ଠା:Typical selections from Oriya literature.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୩
ଓଡ଼ିଆ ସାହିତ୍ୟ-ପରିଚୟ

ଏ ତୋହର କଟକରେ ସର୍ବଜନ ସୁଖୀ ।
ଏକା ମୁହିଁ ତୋ ରାଜ୍ୟରେ ଅଟେ ବଡ଼ଦୁଃଖୀ ।
ବନ‌ଗିରି କନ୍ଦର ଯେ ଖାଲ ଖଣା ବାଟ ।
ପାଦେ ଗମନ କଲେ ପାଇବି ବଡ଼ କଷ୍ଟ ।
ନାବ ସଜାଇଣ ମୋତେ ଦେସି ନୃପବର ।
ତ‌ହିଁରେ ପୂରୋଇ ଥିବ ସମସ୍ତ ସମ୍ଭାର ।
ବିବିଧ ପକ୍ୱଫଳ ଯେ ଉପ‌ହାରମାନ ।
ନାନା ପୁଷ୍ପ ଦ୍ରବ୍ୟ ଆଉ ସୁଗନ୍ଧଚନ୍ଦନ ।
ମୋହର ସଙ୍ଗରେ ସଖୀ ସଖାଗଣ ଘେନି ।
ଅପ୍ରମାଦେ ଆଣିଦେବି ଋଷ୍ୟଶୃଙ୍ଗ ମୁନି ।
ଲୋମ‌ପାଦ ହରଷ ହୋଇଲା ତାହା ଶୁଣି ।
ନାବମାନ ଭିଆଣ କଲାକ ନୃପମଣି ।
ନାବର ଭିତରେ ନେଇ ପକାଇଲା ମାଟି ।
ଫଳ ପୁଷ୍ପମାନ ଯେ ନୂତନ ହୋଇ ଫୁଟି ।
ଆମ୍ଭ ପଣସ ଆବର ଗୁଆ ନାରିକେଳ ।
କଦଳୀ ଜମ୍ଭୀର କରମଙ୍ଗା ନାନାଫଳ ।
ବେଲ ଯେ ବକୁଳ ଆଉ ତାଳ ଯେ ତିନ୍ତୁଳି ।
ଜାଇଫଳ ଦାରାକ୍ଷ କପିଥ ଚାରକୋଳି ।
ଲବଙ୍ଗ ମରୀଚ ଖର୍ଜରୀ ଯେ କେନ୍ଦୁଫଳ ।
ସୁସ୍ୱାଦ ଅମୃତରସମାନ ନାନାଫଳ ।
ଚମ୍ପା ନାଗେଶ୍ୱରହିଁ ବକୁଳ ଛୁରିଅନା।
ଜାଈ ଯୂଈଫୁଲ ମଲ୍ଲୀ ମାଳତୀ ଦ‌ୟଣା ।
କଞ୍ଚନ ଯେ କନିଅର କେତକୀ ମନ୍ଦାର ।
ନାନାଜାତି କୁସୁମ ସୁବାସ ଗନ୍ଧସାର ।
ମରୀଚ ଅଳାଇଚ ପିପ୍ପଳୀ ପାନଲତା ।
ପ୍ରତ୍ୟକ୍ଷେ ସେ ବନ‌କୁ କି ରଚିଲା ବିଧାତା ।
ଋଷିଙ୍କର ମଢ଼ିଆ କି ଜାଣି ପର୍ଣ୍ଣକୁଟୀ ।
ନାବମଧ୍ୟେ ରଚିଲେ ଅପୂର୍ବ ପୁରଗୋଟି ।
ବାହିବା ପଞ୍ଚନାବ ଖଞ୍ଜିଲେ ଏକଠାବ ।
ଚାରିଡଙ୍ଗାରେ ଭରିଲେ କୈବର୍ତ୍ତ ଯେ ଦ୍ରବ୍ୟ ।
ଏମନ୍ତେ ଯେ କୋଟିଏକ ନାବ ସଜ କଲେ ।
ନାବଙ୍କର ଭିତରେ ଯେ ପଲଙ୍କ ପାତିଲେ ।
ଦେବତାଙ୍କ ଠାବରେ ରଚିଲେ ଖଟ ବୋଲି ।
ଉପରେ ଟାଣିଲେ ଚନ୍ଦ୍ରାତପ ଯତ୍ନ କରି ।