ପୃଷ୍ଠା:Typical selections from Oriya literature.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୪
ଓଡ଼ିଆ ସାହିତ୍ୟ-ପରିଚୟ

ବାହାରକୁ ନ ଦିଶଇ ଲତାର ଗ‌ହଳେ ।
ଶ୍ୱେତଚାମର ମୁକୁତା ତ‌ଥି ମାଳେ ମାଳେ ।
ଚାରିପାଖେ ଖଞ୍ଜିଲେ ବିଚିତ୍ର ଚାରିକେରା ।
ମାଣିକ୍ୟ ମୁକୁତା ଯେ ଲମ୍ବଇ କେରା କେରା ।
ଖଟ ଶେଯ ଉପରେ ପଲଙ୍କ ନେତ ତୁଳି ।
ତ‌ଥିର ଉପରେ ଯେ ନେତର ପାଟଡୋରି ।
ସୁବାସ କୁସୁମର ପାଖୁଡ଼ା ଛଡ଼ାଇଲେ ।
ଅତିଯତ୍ନ କରି ତ‌ହିଁ ଶେଯ ବିଛାଇଲେ ।
ତ‌ଥିପରେ ବିଛାଇଲେ କର୍ପୂରର ଧୁଳି ।
ସୁବର୍ଣ୍ଣର ଲେଖନ ଯେ ସିନ୍ଧୁଆ ମୁଚୁଳି ।
ଅଗ୍ରଧୂପ ଗନ୍ଧ ପ୍ରଘଟଇ ଚଉକତି ।
ଠାବେଠାବେ ବସାଇଲେ ମାଣିକ୍ୟର ବତି ।
ସୁସ୍ୱାଦୁ ଫଳମାନ ଥୋଇଲେ ତ‌ହିଁ ନେଇ ।
ଖଣ୍ତଶାକର ଯେ ନାନା ଦ୍ରବ୍ୟନ୍ତ ଭିଆଇ ।
ଗନ୍ଧଚନ୍ଦନ ଆଦି ଯେ କର୍ପୂର କସ୍ତୁରୀ ।
ସୁବର୍ଣ୍ଣର ଥାଳୀ ନାନାବିଧ ରତ୍ନ‌ଝରି ।
ଆଲଟ ଚାମର ତ‌ହିଁ କ୍ଷୁଦ୍ର ଯେ ଦର୍ପଣ ।
ଅନେକ ସାର ଦ୍ରବ୍ୟ ଯେ ବିବିଧ ଘଟଣ ।
କାଞ୍ଚନ ଢ଼ାଳ କୁଣ୍ତରେ ଦ‌ଧି ଘୃତ ଭରି ।
ଉପ‌ହାସ ଦ୍ରବ୍ୟ କେ କ‌ହିବ ଅନ୍ତ କରି ।
ଶୁଭଅନୁକୂଳ ଘେନି ଜରତ୍କୁଶା ନଟୀ ।
କନ୍ଦର୍ପମୋହି‌ନୀ ସଙ୍ଗେ ବିଳାସୀ ବାରଟି ।
ସଙ୍ଗତେ ଅଛନ୍ତି ଯେ ଶତେକ ପରିବାରୀ ।
ନଉକାରେ ବସିଲା ସେ ରତିକାମ ଧରି ।
କର୍ଣ୍ଣରେ ତାଟଙ୍କ ଖଞ୍ଜି ବାହେ ବିଦ ବାନ୍ଧି ।
ଆୟ ଅଳଙ୍କାରମାନ ଝିନବସ୍ତ୍ର ପିନ୍ଧି ।
କଣ୍ଠେଣ ପଦକ‌ହାର ମୁକୁତାର ଝରା ।
ଯଉବନ ପରେ ଶୋହେ ମୋତି କେରା କେରା ।
ପାଦରେ ନୂପୁର ଶୋହେ ବାହେ ରତ୍ନବାହୀ ।
ଲଲାଟେ କସ୍ତୂରୀ ଚିତା ତାମ୍ବୁଳ ଯେ ଖାଇ ।
ସ୍ତନ ଜାନୁ ଜଘନ ଲୋଚନ ପୁଷ୍ପରେଖା ।
କି ଜାଣି ପଟାନ୍ତର ସେ ସ୍ୱର୍ଗର ନାୟିକା ।
ତାଳ‌ଯନ୍ତ୍ର ମୃଦଙ୍ଗାଦି ବେଣୁବଂଶୀ ଘେନି ।
ନୃତ୍ୟରଙ୍ଗେ ପଣ୍ତିତା ସେ ସମସ୍ତ ତରୁଣୀ ।