କନ୍ୟାଙ୍କର ଗମନ୍ତେ ସେ ନୃପତି ଗୋଡ଼ାଏ ।
ମନ୍ତ୍ରୀ ଯେ ଅମାତ୍ୟଗଣ ପ୍ରବୋଧିଣ କହେ ।
ତୁ ମୋହର ଜରତ୍କୁଶା ଅଟୁ ଗୋ ବିଶ୍ୱାସ ।
ଯେଉଁମତେ ପାରୁ ତୁ ଗୋ ଋଷି ଘେନିଆସ ।
ସେ କାମମୋହିନୀ ନାମେ ଜରତ୍କୁଶା ନାରୀ ।
ବାରବନିତାଙ୍କ ସଙ୍ଗେ ଅପୂର୍ବ ସୁନ୍ଦରୀ ।
ରାଜାଙ୍କୁ କହିଲେ ବାହୁଡ଼ ତୁ ନୃପମଣି ।
ଆଣିବଇଁ ଋଷ୍ୟଶୃଙ୍ଗ ବନଗଜ ଜାଣି ।
ଏଥକୁଇଁ ବିଚାର ନ କର ଦେବ କିଛି ।
ନିଶ୍ଚେ ଆଣିଦେବି ତୋତେ ବିଭାଣ୍ତକବତ୍ସି ।
ପ୍ରସନ୍ନ ଚିତ୍ତ ସନ୍ତୁଷ୍ଟ ହୋଇଲା ରାଜନ ।
ବୃଷ୍ଟି କରାଇଲା ରାଜା ଲକ୍ଷେକ ସୁବର୍ଣ୍ଣ ।
ଆଜ୍ଞାଦେଲେ ରାଜା ଶୁଭଅନୁକୂଳେ ଯାଅ ।
ଘୋର ଅରଣ୍ୟରେ ଋଷି ସଙ୍ଗେ ଭେଟ ପାଅ ।
ପଥରେ ରକ୍ଷା କରନ୍ତୁ ତୁମ୍ଭଙ୍କୁ ଯେ ଦୁର୍ଗା ।
ଜଳରେ ରଖନ୍ତୁ ତୁମ୍ଭଙ୍କୁ ଯେ ଦେବୀ ଗଙ୍ଗା ।
ବିଘ୍ନରାଜ ତୁମ୍ଭର କରନ୍ତୁ ବିଘ୍ନନାଶ ।
ମାଧବ ଖଣ୍ତନ୍ତୁ ଯେ ତୁମ୍ଭର ସର୍ବକ୍ଳେଶ ।
ଲକ୍ଷ୍ମୀ ନରସିଂହ ଯେ ଖଣ୍ତନ୍ତୁ କ୍ଳେଶମାନ ।
ସର୍ବଶୁଭେ ଆସି ଋଷି ହୁଅନ୍ତୁ ପ୍ରସନ୍ନ ।
ଏତେ କହି ଦେଲା ଦେଖିଲାର ଲୋକମାନ ।
ବାଟ କହିଦେବା ଅର୍ଥେ ଦେଲାକ ରାଜନ ।
ମଙ୍ଗଳଅଷ୍ଟକ ଯେ ପଢ଼ନ୍ତି ଜଉତିଷ ।
କରନ୍ତି ବ୍ରାହ୍ମଗଣ ମିଳି ବେଦଘୋଷ ।
ଲୋକେ ଧନ୍ୟ ଧନ୍ୟ ଯେ କରନ୍ତି ନାବ ଚାହିଁ ।
ନିଶ୍ଚୟ ଆଶିବ ଏହୁ ଋଷିପୁଅ ଯାଇଁ ।
ମାହେନ୍ଦ୍ରଯୋଗରେ ନାବ ଦେଲାକ ଯେ ଫେଇ ।
ଏକକୁ ଆରେକ ଜନ ପ୍ରଜା ମୁଖ ଚାହିଁ ।
କରଯୋଡ଼ି ବୋଲଇ ଯେ ନଟୀ ଜରତ୍କୁଶା ।
ବାହୁଡ଼ି ବିଜୟେ କର କୃଷ୍ଣରେ ଭରସା ।
ତା ଶୁଣି ବୋଲଇ ରାଜା ଆମ୍ଭରେ କି କାର୍ଯ୍ୟ ।
ତୋହରେ ହୋଇବ ମୋତେ ସକଳ ଐଶ୍ୱର୍ଯ୍ୟ ।
ନାବ ଚଢ଼ି କନ୍ୟାଏ ଯେ ଜଳପଥେ ଗଲେ ।
ଉତ୍ସବ ବାଦ୍ୟ କରିଣ ନୃପ ବାହୁଡ଼ିଲେ ।
ପୃଷ୍ଠା:Typical selections from Oriya literature.pdf/୮୧
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୫
ଓଡ଼ିଆ ସାହିତ୍ୟ-ପରିଚୟ