ପୃଷ୍ଠା:Typical selections from Oriya literature.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୭
ଓଡ଼ିଆ ସାହିତ୍ୟ-ପରିଚୟ

ବନର ମାର୍ଜାରୀଏ କରନ୍ତି ମୁଖଗୋଳ ।
କେବଣ‌‌ଠାବରେ ତାଙ୍କୁ ଝାମ୍ପଇ ଶାର୍ଦ୍ଦୁଳ ।
କାହିଁ ଯେ ଶ୍ୱେତନେଉଳ ଖେଦା ଖେଦା ହୋଇ ।
ନେପାଳୀମୂଷାମାନଙ୍କୁ ଅଛନ୍ତି ଗୋଡ଼ାଇ ।
ବିଚିତ୍ର ମୟୂରେ ଯେ କରନ୍ତି ରଙ୍ଗରସ ।
କାହିଁ ବଣପାରାଏ ଉଡ଼ନ୍ତି ଚଉପାଶ ।
ଗ‌ହ‌ନ ବନେ ପଶି ରାବଇ କେଉଁ ଜୀବ ।
ହୁଳହୁଳି ପ୍ରାୟେକ ଯେ ଶୁଭଇ ସେ ରାବ ।
ପର୍ବତ ଉପରେ ଥାଇଁ ରାବଇ ଗୟଳ ।
ନାବ ଦେଖିଣ ଚାହାନ୍ତି ଆସି ନ‌ଦୀକୂଳ ।
କାହିଁ ବଳିଆ ଗୋଡ଼ାଇଅଛନ୍ତି ଗଣ୍ତାକୁ ।
ମୃଦୁ ମୃଦୁ ହୋଇ ଯାନ୍ତି ଦେଖିଣ ନାବକୁ ।
କାହିଁ ପାଣିକୁଆ ଯେ ଡାହୁକ ହଂସପ‌ନ୍ତି ।
ଖରଙ୍କର ନାଦ ଦେଖି ହଂସେ ଯେପଳାନ୍ତି ।
କେ ତ‌ହିଁ ଲୁଚିଣ ଯେ ବସନ୍ତି ଡ଼ିମ୍ବ ପାଶେ ।
ବୁଡ଼ିଣ ରହ‌ନ୍ତି କେହୁ ନାବର ତରାସେ ।
ନାବ ଗଲେ ସେ ପୁଣି ଦେଖନ୍ତି ବସା ଯାଇଁ ।
କେଉଁ ପକ୍ଷୀ ରାବଇ ସେ କୁତୂହଳ ହୋଇ ।
କେବଣ ଠାବରେ ପଦ୍ମ ଫୁଟି ଅଛି ଲତା ।
ନାବେ ଥିବା ସୁନ୍ଦରୀଏ ହୋନ୍ତି ଉନମତ୍ତା ।
ଏମନ୍ତେ ସେ ନାନା କଉତୁକେ ଚଳି ଯାନ୍ତି ।
ନାବ ଖଟାଇଣ କୁଳେ ରନ୍ଧନ କରନ୍ତି ।
ଭୁଞ୍ଜନ୍ତି ସେ ନାନା ପକ୍ୱ ଫଳ ଶାଳୀ ଅନ୍ନ ।
ନୃତ୍ୟ ଗୀତ ରଙ୍ଗ ହାସ୍ୟ କରନ୍ତି ସେ କ୍ଷଣ ।
ଗଭୀର ଜଳ ଦେଖିଣ ରାତ୍ରେ ନାବ ଖାଞ୍ଚି ।
ପ୍ରଭାତରୁ ଚଳି ଯାନ୍ତି ନିଦ୍ରା ସୁଖେ ବଞ୍ଚି।
ଏମନ୍ତେ କୋଡ଼ିଏ ଦିନ ନାବ ବାହି ଗଲେ ।
କୌଶିକୀ ନ‌ଦୀର ତଟେ ପ୍ରବେଶ ହୋଇଲେ ।
ନାବ ଖଟାଇଣ ଯାଇଁ ରହିଲେ କୂଳର ।
ପରିମଳ ସ୍ଥାନ ଦେଖି ସୁନ୍ଦରୀ ନିକର ।
ପୂର୍ବେ ଦେଖିଥିଲେ ତାହା ଲୋମ‌ପାଦ ଚାରେ ।
ବିଭାଣ୍ତକ ମଢ଼ିଆକୁ କୋଶକ ଉତ୍ତାରେ ।
ସେଠାବରେ ରହିଣ ସେ ବିଚାର କରନ୍ତି ।
ସେ କାମମୋହିନୀ ମୂଳେ ଦ୍ୱାଦଶ ଯୁବତୀ ।