ପୃଷ୍ଠା:Typical selections from Oriya literature.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୪
ଓଡ଼ିଆ ସାହିତ୍ୟ-ପରିଚୟ

ସବୁ ନୃପତିଏ ଯହୁଁ ଦେଲେ ସନମତ ।
ହସିଣ ବୋଇଲେ ସେ ଜନ‌କ ତପୋବନ୍ତ ।
ତୁ ବାବୁ ଶ୍ରୀରାମ ଅଟୁ ଅଳପ ବୟସ ।
ଏ ଧନୁ ଧରିବାକୁ ପ୍ରାକର୍ମ ତୋର କିସ ।
ବଡ଼ ବଡ଼ ରାଜାମାନେ ରହିଲେଣି ଫୁଟି ।
ତୁ କିସ କରିବୁ ଯେ କଅଁଳାପୁଅଗୋଟି ।
ଏ ଧନୁର ଗୁଣ ଯେତେ ଅଛଇନା ଜାଣ ।
ଛୁଇଁବା ମାତ୍ରକେ କ୍ଷତ୍ରି ହୁଏ ହତପ୍ରାଣ ।
କାଳେ ତୁ ବୋଲିବୁ ନିକି ନ କ‌ହିଲେ ବୋଲି ।
ମୋହର ଯେ ଦୋଷ ନାହିଁ ଆଗ‌ହୁଁ କ‌ହିଲି ।
ହସିକରି ଶ୍ରୀରାମ କ‌ହ‌ନ୍ତି କର‌ଯୋଡ଼ି ।
ପାରିଲେ ସିନା ଆଣିବି ଧନୁକୁ ଉଛୁଡ଼ି ।
ନୋହିଲେ ତା ପୁଣ ତୁମ୍ଭେ ନେବ ବାହୁଡ଼ାଇ ।
ଆଜ୍ଞା ଦିଅ ମୁନି ହୋ ପ୍ରସନ୍ନମୁଖ ହୋଇ ।
ଶ୍ରୀରାମର ଏସନ ନିଷ୍ଠୁର ବାକ୍ୟ ଶୁଣି ।
ଜନ‌କ ମନରେ ବିଚାରନ୍ତି ପୁଣପୁଣି ।
ବିଶ୍ୱାମିତ୍ର ଏହାଙ୍କର କ‌ହଇ ଗାରିମା ।
ଏହି କଥା ପୂର୍ବେ ମୋତେ କ‌ହିଥିଲେ ବ୍ରହ୍ମା ।
ଏ ଧନୁକୁ ଯତନ କରିଣ ଥୋଇଥିବୁ ।
ଜାନ‌କୀର ସ୍ୱୟମ୍ବରେ ହରିଙ୍କି ଦେଖିବୁ ।
ସେ କଥା ନିକଟ ଅବା ହୋଇଲେକ ଆସି ।
ଏତେକ ବିଚାରି ମୁନି କ‌ହିଲେକ ହସି ।
ପାରିଲେ ଆଣ ବାବୁ କିପାଇଁ ଆଜ୍ଞା ମାଗୁ ।
ତୁ ବାଳୁତପୁଅ ଧନୁ କଥା ତୋତେ ଲାଗୁ ।
ଜନ‌କର ବଚନ ଶୁଣିଣ ରଘୁସାଇଁ ।
ମଞ୍ଜୁଷା-ଦ୍ୱାରେ ବିକ୍ରମି ଯାଇ ଉଭାହୋଇ ।
ସ୍ୱର୍ଗରେ ଦେବତାଗଣ ଅଛନ୍ତି ଅନାଇ ।
ରାଜାଗଣ ସମସ୍ତେ ଅଛନ୍ତି ଉଭାହୋଇ ।
ହାବୁଡ଼ାହାବୁଡ଼ି ହୋଇ ସମସ୍ତେ ଦେଖନ୍ତି ।
ଏକଦୃଷ୍ଟି କରି ଯେ ନୃପତିଏ ଅଛନ୍ତି ।
ମଞ୍ଜୂଷା ଭିତରେ ଯାଇଁ ରାମଚନ୍ଦ୍ର ପଶି ।
ବାମ‌ଭୁଜେ ଧନୁକୁ ସେ ଧଇଲେ ଆକର୍ଷି ।
ବାହାର ହୋଇଣ ଯେ ଅଇଲେ ରଘୁନାଥ ।
ଦେଖିଲେ କୋଦଣ୍ତ ରାଜଗଣେ ବାମହସ୍ତ ।