ପୃଷ୍ଠା:Typical selections from Oriya literature.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୫
ଓଡ଼ିଆ ସାହିତ୍ୟ-ପରିଚୟ

ଆନନ୍ଦେ ଉତ୍ସୁକ ଯେ ହୁଅନ୍ତି ନର ନାରୀ ।
ତୋଳିଣ ଧଇଲେ ଧନୁ ଉଚ୍ଚେ ଧ୍ୱନି କରି ।
ଦେଖିଣ ଯେ ବିଶ୍ୱାମିତ୍ର ପୁଲକଶରୀର ।
ସାଧୁ ସାଧୁ ଶବଦ ଯେ ଶୁଭେ ନିରନ୍ତର ।
ଧନୁ ଧରି ଶ୍ରୀରାମ ଅଛନ୍ତି ଉଭା ହୋଇ ।
ସୁରଗଣ ମଧ୍ୟେ ଯେହ୍ନେ ଇନ୍ଦ୍ର ଶୋଭା ପାଇ ।
ଦଶଦିଗକୁ ଚାହିଁଣ ବୋଲନ୍ତି ଲକ୍ଷ୍ମଣ ।
ଦିଗପାଳମାନେ ତୁମ୍ଭେ ସମସ୍ତେ ଯେ ଶୁଣ ।
ଭୋ ବାସୁକି ନାଗ ତୁ ଯେ ଅଟୁ ମହୀଧର ।
ଦେଖନ୍ତି ତ ଦିଗପାଳେ ହୋଇ ଆଗୁଁସାର ।
ଆହୋ ମହାକୂର୍ମ ବାରେ ସ୍ଥିର ହୋଇ ରହ ।
ବଳ ଲଗାଇଣ ତୁ ଧନୁର ଭରା ସ‌ହ ।
ଆଗୋ ବସୁମତି ତୁହି ସ୍ଥିର ହୋଇ ଥାସି ।
ଅବଶ ହୋଇଲେ ନିଶ୍ଚେ ହୋଇବୁଟି ଧ୍ୱଂସି ।
ବଳ ଲଗାଇଣ ତୁମ୍ଭେ ଧୀର ହୋଇ ଥିବ ।
ଈଶ୍ୱରଙ୍କ କୋଦଣ୍ତ ଶ୍ରୀରାମ ଆମଞ୍ଚିବ ।
ଏସନ‌କ ବୋଲିଣ ଶ୍ରୀରାମ ମୁଖ ଚାହିଁ ।
କରପତ୍ର ଯୋଡ଼ି ପୁଣ ଲକ୍ଷ୍ମଣ ବୋଲଇ ।
ଭୋ ଦେବ ଶ୍ରୀରାମ ତୁମ୍ଭେ ମୋର ବୋଲ କର ।
ମଉଳି ନୁଆଇଁ ତୁମ୍ଭେ ଏ ଧନୁ ନ ଧର ।
ଏକଦୃଷ୍ଟି କରି ଚାହିଁଛନ୍ତି ନୃପବରେ ।
ପ୍ରଣାମ କଲା ପରାୟେ ଦିଶିବ ସଭାରେ ।
ନିଷ୍କଳଙ୍କ ସୂର୍ଯ୍ୟବଂଶ ଆମ୍ଭର ଅଟଇ ।
ତୋହର ସଞ୍ଚିଲା ଏହି ସପ୍ତଦ୍ୱୀପା ମହୀ ।
ଶୁଣିଣ ଶ୍ରୀରାମଙ୍କର ପୁଲ‌କଇ କାୟେ ।
ବିଶ୍ୱରୂପ ଧରିଣ ବିକ୍ରମି ଉଭା ହୋଏ ।
ବାମକରେ କୋଦଣ୍ତ ଧରିଣ ଦାଶରଥି ।
ଗୁଣ ଦେବା ବୋଲିଣ ଯେ ବିଚାର କରନ୍ତି ।
ଭୟପାଇ ବସୁମତୀ ବୋଲଇ ବଚନ ।
ବାରେ ରକ୍ଷା କର ମୋତେ ଶ୍ରୀରଘୁନନ୍ଦନ ।
ଏ ଧନୁର ହୁଳ ଯଦି ଦେବୁ ମୋର ତ‌ହିଁ ।
ନିଶ୍ଚୟେ ଜୀବନ ମୁଁ ଛାଡ଼ିବି ରଘୁସାଇଁ ।
ମେରୁ ଠାରୁ ଶତଗୁଣ ଏ କୋଦଣ୍ତ ଗରୁ ।
ମୁହିଁ ଏହା ବ‌ହିବାକୁ ଅଟଇ ଯେ ଭୀରୁ ।