ପୃଷ୍ଠା:Typical selections from Oriya literature.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୬
ଓଡ଼ିଆ ସାହିତ୍ୟ-ପରିଚୟ

ରାମଚନ୍ଦ୍ର ଶୁଣି ପୃଥିବୀକି ଦୟାକଲେ ।
ନିଜ ବାମ‌ପାଦେ ଆଗଭର ବଢ଼ାଇଲେ ।
କନିଷ୍ଠ ଅଙ୍ଗୁଳି ନ‌ଖକୋଣର ଉପରେ ।
ଧନୁହୁଳ ବସାଇଲେ ନେଇ ରଘୁବୀରେ ।
ଶରାସନ ମଉଳିକି ବାମକରେ ଧରି ।
ଗୁଣ ଦେବାନିମନ୍ତେ ସେ ଆଣିଲେ ଓଟାରି ।
ରଟମଟ ଶବଦ ଯେ ଶୁଭିଲା କୋଦଣ୍ତ ।
ଥରହର କମ୍ପଇ ମେଦିନୀ ନବଖଣ୍ତ ।
ଗୁଣକୁ ଶ୍ରୀରାମ ଯେ ଦକ୍ଷିଣ କରେ ଧରି ।
ଓଟାରି ଧନୁର ହୁଳ ମଧ୍ୟେ ନେଉଭରି ।
ଯହୁଁ ଶରାସନ ନିହୁଡ଼ାଇ ଦେଲେ ଗୁଣ ।
ଦେଖି ଶିର ନୁଆଇଲେ ସକଳ ରାଜନ ।
ବୋଇଲେ ନିଶ୍ଚୟ ଆସି ହରି ବିଜେ କଲା ।
ସମସ୍ତଙ୍କର ମନରୁ ଭ୍ରାନ୍ତି ଫିଟିଗଲା ।
ଗୁଣ ଦେଇ ଧନୁକୁ ଧଇଲେ ସଜକରି ।
ସଭାଜନ ମନେ ଜାତ ଆନନ୍ଦଲ‌ହରୀ ।
ବାମକରେ ଧରି ଗାମ ଗୁଣ ଟଙ୍କାରନ୍ତି ।
ଦେଖି ଜନ‌କର ଫିଟିଲା ଯେ ମନ ଭ୍ରାନ୍ତି ।
ମନେ ବିଚାରିଲେ ଏହୁ ନିଶ୍ଚେ ବାସୁଦେବ ।
ନୋହଲେ ଏ ଧନୁକେ ବା ଆନେ ଆମଞ୍ଚିବ ।
ପ୍ରତ୍ୟକ୍ଷରେ ନାରାୟଣ ହୋଇଅଛି ଜାତ ।
ଏଡ଼େ ବଡ଼ ଧନୁ କେବା କରନ୍ତା ଆୟତ୍ତ ।
ନିଶ୍ଚେ ଏହୁ ଜାନ‌କୀର ହେବ ନିଜକାନ୍ତ ।
ଲକ୍ଷ୍ମୀ ନାରାୟଣ ବେନି ହୋଇଲେ ସମ୍ଭୂତ ।
ଏଥୁ ଅନନ୍ତରେ ରାମ ଧନୁକରେ ଧରି ।
ଦକ୍ଷିଣକର୍ଣ୍ଣ ପର୍ଯ୍ୟନ୍ତେ ଆଣିଲେ ଓଟାରି ।
କର୍ଣ୍ଣ ପରିଯନ୍ତେ ସେ ଯେ ଆଣନ୍ତେଣ ଗୁଣ ।
ଆନ୍ଦୋଳିତ ପୃଥିବୀ କମ୍ପିଲେ ରାଜଗଣ ।
ଶ୍ରବଣରେ ମିଳି ଧନୁ କ‌ହଇ ଗୁପତ ।
ହେଳେ ନାଶ କଲ ସ୍ୱାମୀ ମୋର ପୁରୁଷାର୍ଥ ।
ସଧୀରେ ହୁଞ୍ଚୁଡ଼ି ପୁଣି ରଖ ରଘୁବୀର ।
ତୋହର କୋପରେ କି ରହିବ ମୋ ଶରୀର ।
କରୁଣାସାଗର ରାମ ପ୍ରତୀକାର କର ।
ଶୁଣି ହୃଦଗତେ ବିଚାରନ୍ତି ରଘୁବୀର ।