ପୃଷ୍ଠା:Typical selections from Oriya literature.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୭
ଓଡ଼ିଆ ସାହିତ୍ୟ-ପରିଚୟ

ବୋଲନ୍ତି କାର୍ମୁକ କିପାଁ ହେଉଛୁ ନିସତ ।
କଥା ନ ବୁଝିଣ କିପାଁ ମନେ ହେଉ ଭୀତ ।
ତୋତେ ଆଶ୍ୱାସନା ଯେବେ କରିବଇଁ ମୁହିଁ ।
ନିନ୍ଦା ପାଇବି ନା ମୁହିଁ ରାଜଗଣ ତ‌ହିଁ ।
ଧନୁ ପୁରାତନ ତୁ ଯେ ଅଟୁ ଜ୍ଞାନବନ୍ତ ।
କାର୍ଯ୍ୟର ବେଳରେ କିପାଁ ହେଉଛୁ ନିସତ ।
ତୋତେ ଘେନି କରେ ହର ଦକ୍ଷ‌ଯଜ୍ଞ ଧ୍ୱଂସି ।
ଦେବତାଙ୍କୁ କୋପିଲା ସେ କପିଳାସବାସୀ ।
ସେ ପାପମାନ ଯେ ତୋର ଅଙ୍ଗେ ଅଛି ରହି ।
ଆନ ଏ ସମସ୍ତ ପାପ ଦେବି ତୋର ଦ‌ହି ।
ଯେତେଦିନ ଭୋଗ ତୋର ଆୟୁଷ‌ହିଁ ଥିଲା ।
କାହାର ବୋଲେ ଯେ ତାହା ଅନ୍ୟଥା ନୋହିଲା ।
ଭୋଗରାଗ ଭୁଞ୍ଜିଲୁ ଈଶ୍ୱର ସମ ହୋଇ ।
ଜନ‌କ‌ଋଷିର ଇଷ୍ଟଦେବତା ବୋଲାଇ ।
ଏସନ‌କ ଧାତା ପୂର୍ବେ କଲାକ ଭିଆଣ ।
ଜାନ‌କୀର ସ୍ୱୟମ୍ବରେ ହରାଇବୁ ପ୍ରାଣ ।
ସେ କଥା ନିକଟ ତୋର ହେଲା ଏବେ ଆସି ।
ଜାଣିଣ କୋଦଣ୍ତ ତୁହି ବିମନ ନୁହସି ।
ଶ୍ରୀରାମ-ବଚନେ ବୋଧ ହେଲା ଶରାସନ ।
ଗୁଣ ଆମଞ୍ଚନ ରାମ କଲେ ଘନ ଘନ ।
ଦକ୍ଷିଣ କର୍ଣ୍ଣର ଯାଏ ଗୁଣ ଆଣୁ ଆଣୁ ।
ବଳ ତୁଟିଲାଟି ଜାଣ ତେଡ଼େବଡ଼ ଧନୁ ।
ଶ୍ରୀରାମ ବିକ୍ରମ ରୂପ ଦେଖି ଦେବୀ ସୀତା ।
ପଞ୍ଚମନ ଏକ କଲା ଜନ‌କଦୁହିତା ।
ନୟନ‌ଯୁଗଳେ ସୀତା ଦେଖିଲା ଏକାନ୍ତ ।
ମନରେ ସେ ବିଚାରିଲା ମୋର ଏହି କାନ୍ତ ।
ସୀତାର ମାନସକୁମୁଦ କି ପ୍ରକାଶିଲା ।
ଧନୁର ଗୁଣକୁ ରାମ ଯ‌ହୁଁ ଆମଞ୍ଚିଲା ।
ସ୍ୱର୍ଗେ ଜୟ ଜୟ ଯେ କରନ୍ତି ଦେବଗଣ ।
ଧନ୍ୟ ତୁହି ଶ୍ରୀରାମ ତୋ କ୍ଷତ୍ରିବୃତ୍ତ ପଣ ।
ସଭା ରାଜଗଣ ଯେ ଆଶ୍ଚର୍ଯ୍ୟ ହେଲେ ଚାହିଁ ।
କେ ବୋଲଇ କେବଣ ଦେବତା ଏ ଅଟଇ ।
ଅପୂର୍ବ କଥା ଏ କାହିଁ ଶୁଣିଲା ନ ଥିଲା ।
ନୟନେ ଏ କଥା ଗୋଟି ଦେଖା ତ ହୋଇଲା ।