ପୃଷ୍ଠା:Typical selections from Oriya literature.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୯
ଓଡ଼ିଆ ସାହିତ୍ୟ-ପରିଚୟ

ରଖ ରଖ ଭୋ ନାଥ ଯେ ବୋଲିଣ ପାର୍ବତୀ ।
ରୀତି ଦେଖି ଆନନ୍ଦେ ହସନ୍ତି ପଶୁପତି ।
ମନମଧ୍ୟେ ବିଚାରିଲେ ଧନ୍ୟ ରଘୁନାଥ ।
ତୋହରେ ପାଇଲି ମୁଁ ଅନେକ ପୁରୁଷାର୍ଥ ।
ଭାଙ୍ଗୁ ପଛେ କୋଦଣ୍ତ ଯେ ନାହିଁ ମୋର ଖେଦ ।
ପାର୍ବତୀର ଆଲିଙ୍ଗନେ ଅନେକ ସମ୍ପଦ ।
ସକଳ ସମ୍ପଦ ମୋର ହେଉକିନା କ୍ଷୟେ ।
ଏ କଥାରେ ବ‌ହୁତ ହରଷ ମୋର ହୋଏ ।
ପ୍ରସନ୍ନେ ଶଙ୍କର ଶ୍ରୀରାମଙ୍କୁ ବର ଦେଲେ ।
ଜାନ‌କୀ ପ୍ରାପତ ତୋତେ ହେଉସି ବୋଇଲେ ।
ଏଥୁଅନନ୍ତରେ ଯେ ଶୁଣିମା ରସବାଣୀ ।
ଅକଳ ଧନୁକୁ ଯେ ଭାଙ୍ଗିଲେ ରଘୁମଣି ।
ସଭାମଧ୍ୟେ ଶ୍ରୀରାମ ଯେ ବିଜେ କଲେ ଯାଇଁ ।
ବିଶ୍ୱାମିତ୍ର ଚରଣେ ନମିଲେ ବେନି ଭାଇ ।
ଆନନ୍ଦରେ ବିଶ୍ୱାମିତ୍ର ଆଶୀର୍ବାଦ କଲେ ।
ଶ୍ରୀରାମଙ୍କୁ କୋଳ କରି ସଭାରେ ବସିଲେ ।
ମନେ ବିଚାରିଲେ ଯେ ଜନ‌କ ତପଚାରୀ ।
ଶ୍ରୀରାମଙ୍କୁ ବରମାଳା ଦେଇ ନେବା ବରି ।
ସଭାପରିମୁଖକୁ ଯେ ସୀତାଙ୍କୁ ଅଣାଇ ।
ଶ୍ରୀରାମଙ୍କ କଣ୍ଠେ ବନମାଳା ଦେବା ନେଇ ।
ଦେଖଣାହାରୀ ମାନେ ଯେ ବେଢ଼ିଣ ଦେଖନ୍ତି ।
ଧନ୍ୟ ଧନ୍ୟ ଶ୍ରୀରାମ ବୋଲିଣ ପ୍ରଶଂସନ୍ତି ।
ବାଳୁତ ପୁତ୍ର ଗୋଟି କୋମଳ ତୋର ବାହୁ ।
ବଜ୍ରସମ କୋଦଣ୍ତ ଭାଙ୍ଗିଲୁ ଚାହୁଁ ଚାହୁଁ ।
ମଧୁର ମୂରତି ତୋର ଯାଇ ନିଉଛଣା ।
ତୁ ରାମ ହୋଇଲୁ ଆମ୍ଭ ସବୁରି ଦୁଲଣା ।
ଶ୍ୟାମଳ ଏ ସୁନ୍ଦର ପବିତ୍ର ତୋର ଅଙ୍ଗ ।
ପାଦକୁ ତୋ ପଟାନ୍ତର ନୋହିବ ଅନଙ୍ଗ ।
କାହିଁ ତୋତେ ବିଧାତା ଯତନେ ଥୋଇ ଥିଲା ।
ଏତେକାଳେ ଜାନ‌କୀର ବିଭା ଯୋଗ ହେଲା ।
ଜନ‌କର ସତ୍ୟକୃତ ପୁଣ୍ୟ ଏତେ କାଳେ ।
ଶିବଧନୁ ଭାଞ୍ଜିଲୁ ତୁ ନିଜ ଭୁଜବଳେ ।
ଏସନ‌କ ପ୍ରଶଂସା କରନ୍ତି ନରନାରୀ ।
ବୋଲୁଛନ୍ତି ସଦାଶିବ ଶୁଣ ଗୋ ଗଉରି ।