ପୃଷ୍ଠା:Typical selections from Oriya literature.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୦
ଓଡ଼ିଆ ସାହିତ୍ୟ-ପରିଚୟ

ଏଥୁ ଅନନ୍ତରେ ସେ ଜନ‌କ ତପସାଇଁ ।
ସତ୍ୟାନନ୍ଦଙ୍କୁ ଡ଼ାକିଣ ତାଙ୍କୁ ଆଜ୍ଞାଦେଇ ।
ନ‌ଗରେ ଉତ୍ସବ ମୋର କରାଅ ବୋଇଲା ।
ଆଜରେ ସଂକଳ୍ପ ମୋର ସମୂର୍ଣ୍ଣ ହୋଇଲା ।
ରାଜାମାନଙ୍କୁ ଯେ ଭରିଭୋଜନ କରାଅ ।
ତପୀ ବିପ୍ରମାନଙ୍କୁ ଦକ୍ଷିଣା ଦାନ ଦିଅ ।
ଶୁଣି ସତ୍ୟାନନ୍ଦ ମନ୍ତ୍ରୀଗଣ ସଙ୍ଗେ ଘେନି ।
ଯଥାଯୋଗ୍ୟ ଅନୁକ୍ରମେ ଦେଲା ସବୁ ଚିହ୍ନି ।
ଆପଣେ ଜନ‌କୃଷି ଅନ୍ତଃପୁରେ ଗଲା ।
ସୁବର୍ଣ୍ଣମଣ୍ତପ ପରେ ସୀତାଙ୍କୁ ଦେଖିଲା ।
ପିତାଙ୍କୁ ଦେଖିଣ ସୀତା ଲାଜ ଲାଜ ହୋଇ ।
ସଖୀଜନ ଉହାଡ଼ରେ ରହିଲେକ ଯାଇଁ ।
ଜ‌ନ‌କ‌ଋଷି ବୋଇଲେ ଆସ ମୋର ମାୟେ ।
ତୋହର ସାଦୃଶେ ମୁହିଁ ବର ଲୋଡ଼ି ପାଏ ।
ଦଶରଥ ନୃପତି ଯେ ଅଯୋଧ୍ୟାର ନାଥ ।
ସୂର୍ଯ୍ୟବଂଶୀ ରାଜା ସେ ତାହାର ଜ୍ୟେଷ୍ଠସୁତ ।
ଶ୍ରୀରାମ ତାହାର ନାମ ଅଳପ ବୟସ ।
ସର୍ବଗୁଣେ ଅଟେ ଦେବରାଜାର ସାଦୃଶ ।
କ୍ଷତ୍ରୀ ବୀରପଣେ ତାକୁ ନାହିଁ ସମସରି ।
ଅରଣ୍ୟେ ପଶି ତାଡ଼କା ଦଇତୁଣୀ ମାରି ।
ବିଶ୍ୱାମିତ୍ର ଯଜ୍ଞ ଏ ରଖିଲେ ବାଳକାଳେ ।
ନାଶିଲେ ଅନେକ ଦୈତ୍ୟ ବନେ ଭୁଜବଳେ ।
ଶାପରେ ଅହଲ୍ୟା ଯେ ପାଷାଣ ହୋଇଥିଲା ।
ଶ୍ରୀରାମର ପାଦ ଲାଗି ମୁକତ ହୋଇଲା ।
ସ୍ୱର୍ଗେ ସୁରଗଣ ଯେ ଅନେକ ସ୍ତୁତି କଲେ ।
ସ୍ୱୟଂ ନାରାୟଣ ବୋଲି ମୋତେ କ‌ହିଗଲେ ।
ବିଶ୍ୱାମିତ୍ର ଯଜ୍ଞ ରଖି ଅସୁର ମାଇଲା ।
ଏ ପୁରକୁ ଆସି ଶିବସାୟକ ଭାଙ୍ଗିଲା ।
ତୁହି ତ ପ୍ରତ୍ୟକ୍ଷେ ଗୋ ଦେଖିଲୁ ନୟନରେ ।
ଯେଉଁ ଧନୁ ଦେଖି ଲୟ କଲେ ନୃପବରେ ।
ଆସ ଆସ ମାଏ ଗୋ ତୁ ବିଳମ୍ବ ନ କର ।
ତୋହର ସାଦୃଶେ ପତି ଦେଲା ବେଦବର ।
ମାହେନ୍ଦ୍ର‌ଯୋଗେ ଶ୍ରୀରାମଚନ୍ଦ୍ରକୁ ଗୋ ବର ।
ଆନନ୍ଦେ ଉତ୍ସବେ ପୂର୍ଣ୍ଣ ହେଉ ମୋର ପୁର ।